ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅନ୍ୟ କିଛି ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଯୁବତୀ ଥିବା ଜଣାପଡ଼ିଛି।
ମୃତକମାନେ ହେଲେ ରମିତା ପାଟ ମାଝୀ (୨୭) ଓ ରୁନୁ ମାଝୀ। ଆହତ ୬ ଜଣଙ୍କୁ ବ୍ରହ୍ମପୁର MKCG ରେ ଭର୍ତ୍ତି କରାଯାଇଛି। ରମିତା ଓ ରୁନୁ ଆମ୍ବ ଟାକୁଆରେ ଜାଉ ପ୍ରସ୍ତୁତ କରି ଖାଇଥିଲେ। ଏହା ପରେ ସେମାନଙ୍କର ପେଟବ୍ୟଥା ହେବା ସହ ଝାଡ଼ାବାନ୍ତି ହୋଇଥିଲା। ରମିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗତ ୩୦ ତାରିଖରେ ତାଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଗତକାଲି ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଦିବାଦୀ ଅଧ୍ୟୁଷିତ ଏହି ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବା ସାମ୍ନାକୁ ଆସିଛି। ଦାରିଦ୍ର୍ୟ ଏବଂ ସଚେତନତା ଅଭାବରୁ ଲୋକମାନେ ଆମ୍ବ ଟାକୁଆକୁ ଜାଉ କରି ଖାଇବାକୁ ବାଧ୍ୟ ହେଉଛନ୍ତି। ଯାହାଫଳରେ ଏପରି ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।