ଆଜି ପୁଣି ବଢିବ ୨ ଡିଗ୍ରୀ ଦିନ ତାପମାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ବୃଦ୍ଧି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ତିତି ଜାରି ରହିବ। ଏହା ବ୍ୟତୀତ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ତିତି ଲାଗି ରହିବାର ସମ୍ଭାବନା ରହିଛି। ।

ତେବେ ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ଯୋଗୁ ସମ୍ଭାବ୍ୟ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି। ଗୁରୁବାର ରାତିରେ ସହର ଉପ‌କଣ୍ଠରେ ଥିବା ଏଚ୍‌ କଟାପାଲିର ଜଣେ ୨୫ ବର୍ଷୀୟ ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ଜଣ ସମ୍ଭାବ୍ୟ ଅଂଶୁଘାତ ଆକ୍ରାନ୍ତ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୧୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ କେବଳ ଜଣେ ରୋଗୀଙ୍କର ଚିକିତ୍ସା ଜାରି ରହିଛି।

ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଅଂଶୁଘାତ ୱାର୍ଡ ଖୋଲାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିଅସ ରହିଛି। ସେହିପରି ବୌଦ୍ଧରେ ୪୪.୫ ଡିଗ୍ରୀ ଏବଂ ନୂଆପଡା ଓ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.