ବିହାରରୁ ଉତ୍ତରପ୍ରଦେଶକୁ ବେଆଇନ ଭାବେ ହେଉଥିଲା ଶିଶୁ ଚାଲାଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିହାରରୁ ଉତ୍ତରପ୍ରଦେଶକୁ ବେଆଇନ ଭାବେ ହେଉଥିଲା ଶିଶୁ ଚାଲାଣ । ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ୯୩ ଶିଶୁଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ଏସବୁ ଶିଶୁମାନଙ୍କୁ ଉତ୍ତରପ୍ରଦେଶରରୁ ବିହାରକୁ ଚାଲାଣ କରାଯାଉଥିବା ସମୟରେ ଚାଇଲ୍‌ଡ ଲାଇନ୍‌ ସହାୟତାରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ସମସ୍ତ ପିଲାଙ୍କ ବୟସ ୫ରୁ ୯ବର୍ଷ ମଧ୍ୟରେ ହେବ।  ହେଲେ କେଉଁ ଉଦ୍ଦେଶ୍ୟରେ ପିଲାମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

ଶିଶୁମାନଙ୍କୁ ଉଦ୍ଧାର ପରେ ଖାଦ୍ୟ ଓ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି । ଏକ ବଡ଼ ଧରଣର ମାନବ ଚାଲାଣ ନେଇ ଖବର ମିଳିବା ପରେ ପୁଲିସ ଅଯୋଧ୍ୟାର ଦେବକଲୀ ନିକଟରେ ଗୋଟିଏ ବସ୍‌ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବସ୍‌ ଭିତରେ ଏହି ଶିଶୁମାନଙ୍କୁ ଖୁନ୍ଦାଖୁନ୍ଦି କରି ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଥିଲା। ସେଠାରୁ ପିଲାମାନଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ନିଆଯାଇଥିଲା। ତେବେ ଯେଉଁ ଲୋକମାନେ ପିଲାମାନଙ୍କୁ ନେଇକି ଯାଉଥିଲେ, ସେମାନଙ୍କ ପାଖରେ ସେହି ପିଲାମାନଙ୍କ ବାପାମାଆଙ୍କ ସହମତି ପତ୍ର ନଥିଲା । ପିଲାମାନେ ମଧ୍ୟ କୁଆଡେ ଯାଉଛନ୍ତି ଜାଣିନଥିବା କହିଥିଲେ ।

ଏବେ ସେମାନଙ୍କର ଅଭିଭାବକଙ୍କ ସହ ଯୋଗାଯୋଗ କରାଯାଉଛି । ବାପାମାଆ ପହଞ୍ଚିଲେ ପିଲାମାନଙ୍କୁ ହସ୍ତାନ୍ତର କରାଯିବ । ତେବେ ପୂର୍ବରୁ ବିହାରର କିଛି ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ ରାଜ୍ୟର ମାଦ୍ରାସାକୁ ପଠାଯାଉଥିବା ବେଳେ ଗୋରଖପୁର ଠାରେ ଉତ୍ତରପ୍ରଦେଶ ରାଜ୍ୟ ଶିଶୁ ଆୟୋଗ ଉଦ୍ଧାର କରିଥିଲା । ଏନେଇ ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ କହିଥିଲେ, ବିହାରରୁ ବିଭିନ୍ନ ରାଜ୍ୟର ମଦ୍ରାସାକୁ ପଠାଯାଉଥିବା ପିଲାଙ୍କୁ ଗୋରଖପୁରରୁ ଉଦ୍ଧାର କରାଯାଇଛି । ଭାରତୀୟ ସମ୍ବିଧାନ ପ୍ରତି ଶିଶୁକୁ ଶିକ୍ଷାର ଅଧିକାର ଦିଏ । ସବୁ ପିଲା ସ୍କୁଲ ଯିବା ବାଧ୍ୟତାମୂଳକ ଅଟେ । କିନ୍ତୁ ଦାନ ହାସଲ ପାଇଁ ଗରୀବ ପିଲାମାନଙ୍କୁ ବାହାର ରାଜ୍ୟକୁ ପଠାଯାଇ ମାଦ୍ରାସାରେ ଭର୍ତ୍ତି କରାଯାଉଛି ।

Leave A Reply

Your email address will not be published.