ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଗ୍ନିକାଣ୍ଡ ଯୋଗୁଁ ୨୦ଟି ଘର ଜଳି ଯାଇଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଉକ୍ତ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ ଉର୍ଦ୍ଧ୍ୱ ଘର ଜଳିଯିବା ସାଙ୍ଗକୁ ଘରେ ଥିବା ନଗଦ ଟଙ୍କା ପଇସା, ଧାନଚାଉଳ, ଦରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଛି।
ମଙ୍ଗଳବାର ପୂର୍ବାଂହ୍ନ ସମୟରେ କୋଣସି କାରଣ ପାଇଁ ଗୋଟେ ଘରେ ଅଗ୍ନି ସଂଯୋଗ ହୋଇଥିଲା। ତେବେ ଦେଖୁ ଦେଖୁ ଅଗ୍ନିଶିଖା ବ୍ୟାପିବା ସହ ଅଗ୍ନିକାଣ୍ଡ ହୋଇଥିଲା। ଯାହା ଫଳରେ ଘର ଗୁଡିକ ଜଳିବା ଦେଖି ଅଗ୍ନିଶମ ବାହିନୀକୁ ସ୍ଥାନୀୟ ଲୋକମାନେ ଖବର ଦେଇଥିଲେ।
ତେବେ ଅଗ୍ନିକାଣ୍ଡ ନେଇ ଖବର ଦେବାର ଅନେକ ସମୟ ବିଳମ୍ବରେ ଅଗ୍ନିଶମଗାଡି ପହଞ୍ଚିବାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଥିଲା। ନିଆଁଲିଭାରେ ବଡ଼ସାହି ଓ ବେତନଟୀ ଅଞ୍ଚଳର ଦମକଳ ଗାଡି ନିୟୋଜିତ ହୋଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଅନେକ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।