ଜମି ବିବାଦକୁ ନେଇ ଟାଙ୍ଗିଆ ହାଣି ହତ୍ୟାକାଣ୍ଡ ମାମଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (୧) କୋର୍ଟରେ ମଙ୍ଗଳବାର ଜମି ବାଡ଼ି ବିବାଦକୁ ନେଇ ଟାଙ୍ଗିଆ ହାଣି ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ତିନି ଜଣ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି।

ହତ୍ୟାକାରୀ ମାନେ ହେଲେ ମୋରଡ଼ା ଥାନା ଅନ୍ତର୍ଗତ ମହୁଲବଣି ଗ୍ରାମର ଶୋଭାକର ମହାନ୍ତ(୫୩) ଏବଂ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଯତୀନ୍ଦ୍ର ମହାନ୍ତ(୪୩), କମଳ ଲୋଚନ ମହାନ୍ତ(୪୫)। ସୂଚନାଯୋଗ୍ୟ, ମହୁଲବଣି ଗ୍ରାମର ରଘୁନାଥ ମହାନ୍ତଙ୍କ ଘର ଜମିକୁ ନେଇ ଉକ୍ତ ତିନି ଜଣକ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତ ୨୦୨୧ ଜୁନ ୧୦ ତାରିଖରେ ଶୋଭାକର ମହାନ୍ତ, ଯତୀନ୍ଦ୍ର ମହାନ୍ତ ଓ କମଳ ଲୋଚନ ମହାନ୍ତ ଟାଙ୍ଗିଆ ଓ ଠେଙ୍ଗା ନେଇ ରଘୁନାଥ ମହାନ୍ତଙ୍କ ଘରକୁ ଆସିଥିଲେ। ରଘୁନାଥଙ୍କ ଘର ଜମି ତାଙ୍କର ଅଟେ, ତେଣୁ ଜମି ଖାଲି କରିବାକୁ କହିଥିଲେ। ଯାହାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ତେବେ ପାଟିତୁଣ୍ଡ ବଢିବାରୁ ରଘୁନାଥଙ୍କ ନାତି ହରେକୃଷ୍ଣ ମହାନ୍ତ ଆଲୋଚନା କରି ବିବାଦ ସମାଧାନ କରିବାକୁ କହିଥିଲା। ଏହାକୁ ନେଇ ତିନି ରାଗିକି ସେଠାରୁ ପଳେଇ ଯାଇଥିଲେ। ପୁରୁଣା ରାଗକୁ ନେଇ ଗାଁ ମନ୍ଦିର ନିକଟରେ ହରେକୃଷ୍ଣ ମହାନ୍ତଙ୍କୁ ଅଟକାଇ ଟାଙ୍ଗିଆରେ ବେକକୁ ପ୍ରହାର କରିଥିଲେ।

ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ସେ ଟଳି ପଡିଥିଲେ। ହସ୍ପିଟାଲରେ ଭର୍ତ୍ତି କରିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମଣ୍ଟୁ ମହାନ୍ତ ସ୍ଥାନୀୟ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେଶ ନମ୍ବର ୧୨୭/୨୦୨୧ରେ ଏକ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

Leave A Reply

Your email address will not be published.