ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଲିସକୁ ଆକ୍ରମଣ କରି ୩ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଥାନା ବେଲପୁର ଛକ ନିକଟରେ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ସୂଚନା ଅନୁସାରେ ଗତ ବୁଧବାର ରାତିରେ ବେଲପୁର ଛକ ନିକଟରେ ଦୁଇଟି ପିକଅପରେ ବେଆଇନ ଭାବେ ଗୋଚାଲାଣ ହେଉଥିବା ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୁଲିସ ସେଠାରେ ପହଞ୍ଚିବା ପରେ ବେଆଇନ ଗୋରୁ ଚାଲାଣକାରୀ ମାନେ ପୁଲିସକୁ ଆକ୍ରମଣ କରିବା ସହିତ ଥାନା ଗାଡିର କାଚ ଭାଙ୍ଗି ଦେଇଥିଲେ।ଅନ୍ୟ ଉପାୟ ନପାଇ ପୁଲିସ ସେଠାରୁ ଫେରି ଆସିଥିଲା।
ଏ ବାବଦରେ ପୁଲିସ ଥାନାରେ ୨୦୧/୨୪ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ବେଲପୁର ଗ୍ରାମର ସେକ ବଣ୍ଟି, ସେକ ମୋସିମ ଏବଂ ସେକ ଆସବୀରକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିଲା। ଆଜି ସୋର ମେଡିକାଲରେ ସମସ୍ତଙ୍କର ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।