ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୩ୟ କାର୍ଯ୍ୟକାରିଣୀ ପରିସଦୀୟ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ ପକ୍ଷରୁ ଆଜି ୩ୟ କାର୍ଯ୍ୟକାରିଣୀ ପରିସଦୀୟ ବୈଠକ ବାରିପଦା ସ୍ଥିତ ଏସଡିସି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର କର୍ମକର୍ତ୍ତା ଏବଂ ଜିଲ୍ଲାର ସମସ୍ତ ଆଦିବାସୀ ଉନ୍ନୟନ ସଂସ୍ଥାର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ସ୍ୱାଗତ ଭାଷଣ ଦେଇ, ବାରିପଦା ଉପଖଣ୍ଡ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଶ୍ରୀ ରାମଚନ୍ଦ୍ର ସୋରେନ ସମସ୍ତ ଅତିଥି ଏବଂ ସଦସ୍ୟଗଣଙ୍କୁ ସଭାକୁ ସ୍ୱାଗତ କରିଥିଲେ।

ଇତ୍ୟବସରରେ, ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି ଆଦିବାସୀ ମାନଙ୍କ ଉନ୍ନତିକରଣ ପାଇଁ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ମାନଙ୍କ ବିଷୟରେ ଆଲୋଚନା କରିବା ସହିତ ପାୱାରପଏଣ୍ଟ ଉପସ୍ଥାପନା କରିଥିଲେ। ନିଜ ବକ୍ତବ୍ୟ ତଥା ଉପସ୍ଥାପନାରେ ଡଃ ମାର୍ଣ୍ଡି, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା ପ୍ରଶିକ୍ଷଣ ଶିବିର, ଆଦିବାସୀ କ୍ରୀଡା, ଧର୍ମପୀଠର ସୁନ୍ଦରିକରଣ, କର୍ମଶାଳା ଓ ସମ୍ମିଳନୀ ଆୟୋଜନ, ଖେଳ ପଡ଼ିଆର ଉନ୍ନତିକରଣ, ଆଦିବାସୀ ପାଠାଗାର, ଜିଲଲସରିଆ ଅଧିବାସୀ ଭବନ ନିର୍ମାଣ, ଆଦିବାସୀ ଲେଖକ ସମ୍ମିଳନୀ, ପର୍ଯ୍ୟଟନ ସ୍ଥଳୀ ଏବଂ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟକାରୀ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଏହି ପରିପ୍ରେକ୍ଷୀରେ ନିଜ ଅଭିଭାଷଣ ରଖି କହିଥିଲେଯେ ଆଦିବାସୀ ମାନଙ୍କ ଉନ୍ନତିରେ ହିଁ ପ୍ରକୃତ ଉନ୍ନତି ଏବଂ ତାହା ହିଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ କରି ଆସୁଛି ଏବଂ ଆଗକୁ ଯାହାବି ଦାୟିତ୍ୱ ମିଳିବ ତାକୁ ସୁଚାରୁ ରୂପରେ ସମ୍ପାଦନା କରିବ।

ଏହା ପରେ ପରିଷଦର ସମସ୍ତ ସଦସ୍ୟ ମାନଙ୍କର ମତାମତ ତଥା ନୂତନ ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଥିଲା। ଏହାପରେ ସମସ୍ତ ସଦସ୍ୟଙ୍କ ମତାମତକୁ ଆଧାର କରି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା। ସର୍ବଶେଷରେ, ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ କମଳା ତିରିଆ ଏହି ବୈଠକର ନିଷ୍କର୍ଷ ଅଭିଭାଷଣ ପ୍ରଦାନ କରିବ ସହିତ ସମସ୍ତ ଅତିଥି ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ, ପିଏ ଆଇଟିଡିଏ (କରଞ୍ଜିଆ), ଶ୍ରୀମତୀ ଦେବଯାନୀ ଭୂୟାଁ, ପିଏ ଆଇଟିଡିଏ (ରାଇରଙ୍ଗପୁର) ଶ୍ରୀ ପରୀକ୍ଷିତ ଦାଶ, ପିଏ ଆଇଟିଡିଏ (ଉଦଳା) ଶ୍ରୀ ନରେନ୍ଦ୍ର ଖମାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଏବଂ ପରିଷଦର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.