ରାଜ୍ୟରେ ଆଉ ୪ ଦିନ ଗୁଳୁଗୁଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେଉଛି। ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ମୌସୁମୀ ଛୁଇଁଛି। ହେଲେ ଏବେବି ଅସହ୍ୟ ଗରମ ସହ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି । ତେବେ ଆହୁରି ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମୌସୁମୀ ଆଗମନ ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଗତକାଲିଠାରୁ ଆଜି ପୂର୍ବାହ୍ନ ସୁଦ୍ଧା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୪୩ ‌ମିମି, କେ ନୂଆଗାଁରେ ୧୬.୨, ଜି ଉଦୟଗିରିରେ ୨.୨ ମିମି, ଗଜପତି ଜିଲ୍ଲା ଆର ଉଦୟଗିରିରେ ୧୯.୪, ନୂଆଗଡ଼ରେ ୧୦.୨, ରାୟଗଡ଼ାର କୋଟ୍ରାଗୁଡ଼ାରେ ୨.୪, କୋରାପୁଟର ନନ୍ଦପୁରରେ ୨ ମିମି ବର୍ଷା ‌ରେକର୍ଡ କରାଯାଇଛି।  ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାକୁ ଉଷ୍ମ ଓ ଆର୍ଦ୍ର ପାଗ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ ।

ଆଜି ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବୌଦ୍ଧରେ ୪୧.୭, ବଲାଙ୍ଗୀରରେ ୪୧.୫, ମାଲକାନଗିରିରେ ୪୧.୩, ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ୩୯.୬ ଡିଗ୍ରିରେ ପହଞ୍ଚିଛି।

Leave A Reply

Your email address will not be published.