ଝାରସୁଗୁଡ଼ା ବିଧାନସଭା  ଉପନିର୍ବାଚନରେ ୪୦% ବୁଥ୍ ସମ୍ବେଦନଶୀଳ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ  ଆସୁଛି ଝାରସୁଗୁଡା ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରଚାର ଚାଲିଛି। ଏହାରି ଭିତରେ  ଝାରସୁଗୁଡ଼ା ବିଧାନସଭା  ଉପନିର୍ବାଚନରେ ମୋଟ ୪୦% ବୁଥ୍ ସମ୍ବେଦନଶୀଳ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ ।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏକ ସମୀକ୍ଷା ବୈଠକ କରିଥିଲେ । ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ବିଧାନସଭା ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା, ସବୁ ବୁଥକୁ ନିର୍ବାଚନ ପାଇଁ ଭୋଟଗ୍ରହଣ ସାମଗ୍ରୀ ପହଂଚାଇବା, କାଳବୈଶାଖି ଓ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍ ପୋଲ୍ ଉପରେ କଟକଣା, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ଶ୍ରୀ ଧଳ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଧଳ କହିଥିଲେ ଯେ, ଝାରସୁୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି ।

ଝାରସୁଗୁଡ଼ାରେ ୪୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଛି । ପ୍ରଥମଥର ପାଇଁ ଓଡ଼ିଶାର ସବୁ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା ହେବ ଓ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ଆରମ୍ଭ ହେବ । ଯାହାଫଳରେ ନିର୍ବାଚନ ଅଧିକାରୀମାନେ ଭୋଟଦାନ ପ୍ରକ୍ରିୟାର ସ୍ୱଚ୍ଛତାକୁ ସିଧାସଳଖ ତଦାରଖ କରିପାରିବେ । ୨ଟି ରାଜନୀତିକ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ମିଳିଛି ଓ ତା’ପରେ କମିଶନ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.