ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ମିଳିତ ଏନକାଉଣ୍ଟରରେ ୫ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ୨ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । DH ପୋରା ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସ୍ଥାନକୁ କର୍ଡନ କରିଥିଲା ।
ଆଜି ଏନକାଉଣ୍ଟରର ଦ୍ବିତୀୟ ଦିନରେ 5 ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି । ଏବେ ମଧ୍ୟ ଅନ୍ୟ କିଛି ଆତଙ୍କବାଦୀ ଆଖପାଖ ସ୍ଥାନରେ ଲୁଚି ରହିଥିବା ସନ୍ଦେହରେ ଅପରେସନ ଜାରି ରହିଛି । ନିପାତ ଆତଙ୍କୀଙ୍କ ପରିଚୟ ସ୍ପଷ୍ଟ କରାଯାଇନି । କାଶ୍ମୀର ପୋଲିସ କହିଛି ଯେ, ଗୁରୁବାର ସନ୍ଧ୍ୟା ସମୟରେ ନେହାମା ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଯବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଲାଇଥିଲେ । ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ କଡନ କରାଯିବା ପରେ ରାତିରେ ଏନକାଉଣ୍ଟର ବନ୍ଦ ରହିଥିଲା। ଏହାପରେ ଆଜି ସକାଳ ସମୟରେ ପୁଣି ଆରମ୍ଭ ହୋଇଥିଲା ଏନକାଉଣ୍ଟର।
ସୁରକ୍ଷାକର୍ମୀଙ୍କ ଗୁଳିରେ 5 ଲସ୍କର ଇ ତୋଇବାର ଆତଙ୍କୀ ନିହତ ହୋଇଛନ୍ତି ।ନିକଟରେ କାଶ୍ମୀରରେ କାର୍ଯ୍ୟରତ ଏକାଧିକ ଅଣସ୍ଥାନୀୟଙ୍କୁ ଘାଟିରେ ଆତଙ୍କୀଙ୍କ ଦ୍ବାରା ଟାର୍ଗେଟ କରାଯାଇଛି । ଜଣେ ପୋଲିସ ଅଧିକାରୀ କ୍ରିକେଟ୍ ଗ୍ରାଉଣ୍ଡ୍ରେ ପ୍ରାକ୍ଟିସ କରୁଥିବା ବେଳେ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଆତଙ୍କୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସୁରକ୍ଷାବଳ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା । ଅନ୍ୟପଟେ ଶୀତ ଋତୁରେ ପାକିସ୍ତାନ ପଟୁ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ରହିଥାଏ । ଏହାକୁ ପ୍ରତିହତ କରିବା ଲାଗି ସୀମାସୁରକ୍ଷା ବଳ ମଧ୍ୟ ନିୟନ୍ତ୍ରଣ ରେଖାରେ ସୁରକ୍ଷା ଓ ପାଟ୍ରୋଲିଂକୁ ବୃଦ୍ଧି କରିଛି । ଘାଟିରେ ଆତଙ୍କୀ ନିରୋଧୀ ଅପରେସନ ଜାରି ରହିଛି ।