ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି ନିଖୋଜ ୫ ଯୁବକଙ୍କୁ ଉଦ୍ଧାର କଲେ ପୁଲିସ ଓ ବନ ବିଭାଗ କର୍ମଚାରୀ।ନିର୍ମାଣ ହେଉଥିବା ଏକ ସ୍ପିରିଟ କମ୍ପାନୀ ପରିସରରୁ ହୋଇଛନ୍ତି ଉଦ୍ଧାର। ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନଥିଲେ। ଉଦ୍ଧାର ପରେ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପରିବାରକୁ ହସ୍ତାନ୍ତର କଲା ପୋଲିସ।
ସମସ୍ତ ଛାତ୍ର ହେଲେ କଟକ ଲିଙ୍କ୍ ରୋଡ୍ ଅଞ୍ଚଳର ଅରକ୍ଷିତ ମହାପାତ୍ର, ଶୁଭମ୍ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ । ସୂଚନାଯୋଗ୍ୟ,ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିବା କଟକ ଜିଲ୍ଲାର ୫ ଜଣ ଯୁବକ ଗତକାଲି ସଂଧ୍ୟାରେ ଜଙ୍ଗଲ ଭିତରେ ନିଖୋଜ ହୋଇଯାଇଥିଲେ। ସପ୍ତଶଯ୍ୟା ମନ୍ଦିର ଦର୍ଶନ କରିବା ପରେ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବା ଲାଗି ସେମାନେ ଯାଇଥିବା ଜଣାପଡ଼ିଛି। ଏହା ପରଠାରୁ ସେମାନେ ଆଉ ଫେରିନଥିଲେ। ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଖୋଜୁଛନ୍ତି। କିନ୍ତୁ ରାତି ୧୦ଟା ସୁଦ୍ଧା ସେମାନଙ୍କର ଖବର ମିଳିପାରିନଥିଲା |
ଏହାପରେ ଜଣେ ଛାତ୍ର ନିଜ ଘରକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇ ଉଦ୍ଧାର କରିବାକୁ କହିଥିଲେ। ଏହା ଶୁଣି ପରିବାର ଲୋକ ତୁରନ୍ତ ଢେଙ୍କାନାଳ ସଦର ଥାନା ପୋଲିସ୍ ଓ ସପ୍ତଶଯ୍ୟା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ତତ୍ପର ହୋଇଥିଲା ସଦର ଥାନା ପୋଲିସ୍ ଓ ବନ ବିଭାଗ। ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍ ଗଠନ କରିଥିଲା। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍ ଛାତ୍ରଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଥିଲେ। ରାତି ପ୍ରାୟ ସାଢେ ୧୧ଟା ପରେ ସେମାନଙ୍କୁ ବନ ବିଭାଗ ଓ ପୋଲିସ୍ ଟିମ୍ ଉଦ୍ଧାର କରିବାରେ ସଫଳ ହୋଇଥିଲେ।