ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଝଡ଼ବର୍ଷାରେ ଉଡ଼ିଗଲା 5T ସ୍କୁଲର ଛପର । ଏଭଳି ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ଛପର ଉଡି ଯାଇଥିବାରୁ ଆଜି ପିଲାମାନେ ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରି ନାହାନ୍ତି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ଓ କୁଆ ପଥର ମାଡ଼ ହୋଇଥିଲା। ଏଥିରେ ୫-ଟିରେ ରୂପାନ୍ତରିତ ହଇଥିବା ଗଜାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଟିଣ ଛପର ଉଡି ଯାଇଛି। ବିଦ୍ୟାଳୟ ଛୁଟି ଥିବାରୁ ଏକ ବଡ଼ ଧରଣ ଦୁର୍ଘଟଣାରୁ ପିଲାମାନେ ବର୍ତ୍ତି ଯାଇଛନ୍ତି। ହେଲେ ବର୍ଷାରେ ଶ୍ରେଣୀଗୃହରେ ଥିବା ଆସବାବ ପତ୍ର ନଷ୍ଟ ହୋଇଯାଇଛି। ଆଜି ମଧ୍ୟ ଶ୍ରେଣୀ ଗୃହରେ ପାଣି ଜମି ରହିଛି। ପିଲାମାନେ ସ୍କୁଲ ଆସି ପାଠ ପଢ଼ିନପାରି ନାନା ସମସ୍ୟା ସମ୍ମୁଖୀନ ହୋଇଛନ୍ତି। ନିମ୍ନମାନର କାମ ଯୋଗୁ ଟିଣ ଛପର ଉଡ଼ି ଯାଇଥିବା ଅଭିଯୋଗ ହୋଇଛି। ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେୀଣ ଯାଏ ୩୩୮ ଜଣ ବିଦ୍ୟାର୍ଥୀ ଶିକ୍ଷା ଲାଭ କରୁଛନ୍ତି। ଖୁବ୍ଶୀଘ୍ର ସ୍କୁଲକୁ ମରାମତି କରିବାକୁ ପ୍ରଧାନ ଶିକ୍ଷକ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ,ସରପଞ୍ଚ ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ବର୍ଷକୁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ। ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ , ସ୍କୁଲ ପରିଚାଳନା କମିଟି ସରପଞ୍ଚ ପୁରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଭର୍ଚ୍ୟୁଆଲ ଲକରରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ, ମାର୍କସିଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସୁରକ୍ଷିତ ରହିପାରିବା ସହିତ ସୁବିଧାରେ ଉପଲବ୍ଧ ମଧ୍ୟ ହେବ । ଏଥିରେ ଚୋରି ବା ହଜି ଯିବାର କୌଣସି ସମ୍ଭାବନା ରହିବ ନାହିଁ । ଉପସ୍ଥିତ ଛାତ୍ରଛ୍ରତ୍ରୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ୩ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ପରାମର୍ଶ ଦେଇଥିଲେ। ପ୍ରଥମଟି ହେଉଛି – ସମୟର ଆହ୍ବାନ। ସେ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ହେଉଛି ଗୁରୁତ୍ବପୂର୍ଣ୍ଣ । ଠିକ୍ ସମୟରେ ଠିକ୍ କାମ କଲେ, ପିଲାମାନେ ଆଗରେ ରହିପାରିବେ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ ବର୍ତ୍ତମାନ ହେଉଛି ପିଲାମାନଙ୍କର ଜ୍ଞାନ ଅର୍ଜନ କରିବାର ସମୟ। ପାଠ ସହିତ ଖେଳକୁଦ, ନାଚଗୀତ – ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।
ଦ୍ବିତୀୟରେ “ପରିବର୍ତ୍ତନ ଅବଶ୍ୟମ୍ଭାବୀ” ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୟ ସହ ତାଳ ଦେଇ ଆଗକୁ ବଢିବାକୁ ହେବ ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ। ସମୟର ଆହ୍ବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇ ସେ କହିଥିଲେ ଯେ ଆମର ୫-ଟି ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ ହେଉଛି, ସମୟର ଆହ୍ବାନର ମୁକାବିଲା ପାଇଁ ପିଲା ମାନଙ୍କୁ ପ୍ରସ୍ତୁତ କରିବା। ନିଜ ଭିତରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ସେ ପରାମର୍ଶ ଦେଇଥିଲେ। ତୃତୀୟରେ ପିଲାମାନଙ୍କୁ ଦାୟିତ୍ବବୋଧତା ସଂପର୍କରେ ବୁଝାଇ କହିଥିଲେ ଯେ ତୁମମାନଙ୍କ ଜୀବନ ଗଢିତୋଳିବାରେ ଯେଉଁ ମାନଙ୍କ ଅବଦାନ ରହିଛି, ଯଥା- ଶିକ୍ଷକ, ପରିବାର, ଗୁରୁ ,ନିଜ ଗାଁ ଓ ସ୍କୁଲ – ସେମାନଙ୍କ ପ୍ରତି ନିଜର ଦାୟିତ୍ବ ଓ ସମ୍ମାନକୁ କେବେ ହେଲେ ଭୁଲ ନାହଁ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଏକ କଫି ଟେବୁଲ ପୁସ୍ତକ, ମାଗାଜିନ ଓ ମୋ ସ୍କୁଲ ନ୍ୟୁଜ ଲେଟର ଉନ୍ମୋଚନ କରିଥିଲେ ।