ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟରେ ଗତକାଲି ମହାନଦୀରେ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁସଂଖ୍ୟା 7କୁ ବୃଦ୍ଧି ପାଇଛି । ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି । ତେବେ ଏବେ ବି ଜଣେ ନିଖୋଜ ଅଛନ୍ତି । ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାକୁ ମିଶାଇ ଏବେ ଯାଏଁ ଡଙ୍ଗା ବୁଡ଼ିରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ସକାଳ ୫ଟାରୁ ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ଜଣ ସ୍କୁବା ଡାଇଭର । ଡଙ୍ଗା ବୁଡ଼ି ଘଟଣାରେ ମୃତକ ମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର । ତେବେ ସୂଚନା ମୁତାବକ, ଶୁକ୍ରବାର ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ମହିଳା ଓ ୩ ଶିଶୁଙ୍କ ସମେତ ୭ ଜଣ ନିଖୋଜ ରହିଥିଲେ। ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ଏମାନେ ବରଗଡ ବାଞ୍ଜିପାଲିକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା।

ପ୍ରାୟ ୪୩ଜଣ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିଥିଲେ। ସେପଟେ  ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ‌ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି। ଉଦ୍ଧାର ସମସ୍ତ ଯାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.