ଓଡ଼ିଆ ନ୍ୟୁଜ୍ : ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା। ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୭ ବର୍ଷର ଝିଅକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ରାତି ୧ଟା ସମୟରେ ଗାଜିଆବାଦର ରାଜନଗର ଏକ୍ସଟେନସନରେ ଏକ ନିର୍ମାଣାଧୀନ ମଲର ବେସମେଣ୍ଟରୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଶିଶୁର ବାପାମା’ ବିହାରର ପ୍ରବାସୀ ଶ୍ରମିକ। ଗତ କିଛି ବର୍ଷ ହେଲା ସେମାନେ ନିର୍ମାଣସ୍ଥଳ ନିକଟରେ ରହି ଆସୁଥିଲେ। ଶିଶୁଟି ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲା।
ମୃତଦେହ ମିଳିବା ନେଇ ସେମାନଙ୍କୁ ରାତି ୧ଟାବେଳେ ଖବର ମିଳିଥିଲା। ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଶିଶୁଟିକୁ କେହି ଚିପ୍ସ, ସ୍ନାକ୍ସ କିମ୍ବା କୋଲ୍ଡ ଡ୍ରିଙ୍କର ଲୋଭ ଦେଖାଇ ନିର୍ଜନ କୋଠାକୁ ନେଇଯାଇଥିଲା। ସେଠାରେ ଦୁଇଜଣ ଲୋକ ଝିଅଟିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ବେସ୍ମେଣ୍ଟକୁ ଫିଙ୍ଗି ଦେଇପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି। ଶିଶୁଟିର ବାପା କହିଛନ୍ତି, ତାଙ୍କ ଝିଅର ମୃତଦେହରେ ପୋଷାକ ନଥିବାବେଳେ ମୁଣ୍ଡ ଓ ମୁହଁରୁ ରକ୍ତ ବାହାରୁଥିଲା।
ତେବେ ପୁଲିସ ପ୍ରାଥମିକ ତଦନ୍ତରୁ କହିଛି ଯେ, ଶିଶୁଟି ଛାତ ଉପରୁ ପଡ଼ି ଖଣ୍ଡିଆଖାବରା ହୋଇଥିବା ପରି ଜଣାପଡ଼ୁନାହିଁ।ବରଂ କେହି ଝିଅଟିର ମୁଣ୍ଡକୁ ଲୁହାରଡ଼ରେ ଆଘାତ ଦେଇଥାଇପାରେ। ପୁଲିସର ବରିଷ୍ଠ ଅଧିକାରୀ ଓ ଫୋରେନସିକ ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ କେତେକ ଲୋକଙ୍କୁ ଅଟକ ରଖାଯାଇଛି। ନନ୍ଦଗ୍ରାମ ସର୍କଲ ଏସିପି ପ୍ରିୟାଶ୍ରୀ ପାଲ କହିଛନ୍ତି, ଅଭିଯୋଗ ପରେ ପୁଲିସ ଏହାକୁ ଦୁଷ୍କର୍ମ ଓ ହତ୍ୟା ମାମଲା ଭାବେ ତଦନ୍ତ କରୁଛି।