ପୁରୀ(ଓଡ଼ିଆ ନ୍ୟୁଜ୍): ସୋମବାର ପୂର୍ବାହ୍ନରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଚାଲିଛି । ଏଥିପାଇଁ ମଧ୍ୟାହ୍ନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନଯାତ୍ରା ପ୍ରସ୍ତୁତି ନିମନ୍ତେ ରବିବାରଠାରୁ ଦଇତାପତି ସେବକ ସ୍ନାନଶୁଦ୍ଧି ହୋଇ ପ୍ରସ୍ତୁତି କରିବା ସହ ବଡ଼ଦେଉଳକୁ ଭୋର ୬ଟାରୁ ପ୍ରବେଶ କରିଛନ୍ତି । ବଡ଼ଦେଉଳରେ ସନ୍ଧ୍ୟାଧୂପ ପରେ ଦଇତାପତି ସେବକ ରାତି ପାଖାପାଖି ଏଗାରଟା ବେଳେ ଗର୍ଭଗୃହକୁ ବାହୁଟ କଣ୍ଟ ବିଧି ପାଳନ ନିମନ୍ତେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଆବଶ୍ୟକ ବାହୁଟ କଣ୍ଟ ବିଧି ବିଳମ୍ବିତ ରାତିରେ ଅନୁପାଳନ କରିଥିଲେ । ଏହାପରେ ବଡ଼ସିଂହାର ଭୋଗ ସରିବା ପରେ ପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ସେବା ସମ୍ପନ୍ନ ହୋଇଥିଲା । ମହାପ୍ରଭୁଙ୍କ ପହଣ୍ଡି ବିଜେ ନିମନ୍ତେ କୋଠ ସୁଆଁସିଆ ସେବକ ଚାରମାଳ ବାନ୍ଧିବାକୁ ବିଳମ୍ବିତ ରାତିରେ ଗର୍ଭଗୃହରେ ପ୍ରବେଶ କରିଥିଲେ । ଚାରମାଳ ବନ୍ଧା ବିଧି ସରିବା ବେଳକୁ ସକାଳ ୭ଟା ବାଜିବା ଆକଳନ କରାଯାଉଛି ।
ତେବେ ଆଜି ଦଇତାପତିଙ୍କ ସେନାପଟା ଲାଗି ବିଧି ଶେଷ ହେବା ପରେ ଅପରାହ୍ନରେ ମଙ୍ଗଳ ଆଳତିରୁ ମଙ୍ଗଳବାର ନୀତି ଆରମ୍ଭ ହେବ । ସୋମବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଚଉଠି ହୋମ ସରିବା ପରେ ମହାପ୍ରଭୁଙ୍କ ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପ୍ରସ୍ତୁତି ଆରମ୍ଭ କରିବାକୁ ଦଇତାପତି ସେବକ ପ୍ରସ୍ତୁତି ଚଳାଇଛନ୍ତି ।