ସମ୍ବଲପୁର(ଓଡ଼ିଆ ନ୍ୟୁଜ୍): ସମ୍ବଲପୁରରେ ପୋଖରୀରୁ ଉଦ୍ଧାର ଦନ୍ତାର ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି । ପାଣିରେ ପଡ଼ି ହାତୀର ମୃତ୍ୟୁ ହୋଇନି ବରଂ କେନ୍ଦ୍ରାପାଟ ସଂରକ୍ଷିତ ଜଙ୍ଗଲରେ ଗଛ ଉପରୁ ଦନ୍ତାକୁ ଗୁଳି କରିଥିଲେ ଶିକାରୀ । ଯାହା ଫଳରେ ଦନ୍ତାର ମୃତ୍ୟୁ ହୋଇଛି । କାରଣ ହାତୀ ଶରୀରର ବ୍ୟବଛେଦ ସମୟରେ ବାହାରିଛି ୪ ଇଞ୍ଚ ଲମ୍ବ ୨.୫ ଇଞ୍ଚ ଗୋଲେଇର ବୁଲେଟ୍ । ସମ୍ବଲପୁର ଡିଏଫଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାରେ ୩ଜଣ ଅଟକ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ସମ୍ପୃକ୍ତି ଥିବାରୁ ତାକୁ ଗିରଫ କରାଯାଇଛି। ଏହା ବ୍ୟତୀତ ଜଣେ ଫେରାର ରହିଛି।
ବିଶେଷଜ୍ଞଙ୍କ ଅନୁମତି ଓ ନିର୍ଦ୍ଦେଶ ଅନୁସାରେ କାମ କରାଯାଇଛି । ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ପାଣିରେ ଚିକିତ୍ସା କରାଯାଇଛି । ପରେ ୨୧ ତାରିଖରେ ହାଇଡ୍ରା ଓ ଜେସିବି ସାହାଯ୍ୟରେ ବାହାରକୁ ଅଣାଯାଇଛି । ଦୁଇ ଥର ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଗଲା ପରେ ମଧ୍ୟ କୌଣସି ମେଟାଲର ସନ୍ଧାନ ବିଶେଷଜ୍ଞ ଟିମ୍ ପାଇ ନ ଥିଲା । ହାଡ ସନ୍ଧିରେ ଗୁଳିଥିବାବେଳେ ଶରୀରର ୩୫ରୁ ୪୦ ସେଣ୍ଟିମିଟର ଗୁଳି ଫସିଥିଲା । ତେବେ ବ୍ୟବଚ୍ଛେଦ ପରେ କଥା ସାମ୍ନାକୁ ଆସିଛି । ଗୁଳି ମାଡ଼ ଫଳରେ ସେପ୍ଟିସେମିଆ ଓ ମଲ୍ଟି ଅର୍ଗାନ ଫେଲୁୟର ହୋଇଥିବା ଡିଏଫଓ କହିଛନ୍ତି ।