ରଥରେ ହେଲା କନା ମଣ୍ଡଣି , ଆଜି ପ୍ରଭା ସ୍ଥାପନ

0

ପୁରୀ(ଓଡ଼ିଆ ନ୍ୟୁଜ୍‌) : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର ଆଉ ଗୋଟିଏ ଦିନ ବାକି। ଏହି କ୍ରମରେ ୩ ରଥରେ ନିର୍ମାଣ ସେବକମାନେ ଦେଉଛନ୍ତି ଶେଷ ସ୍ପର୍ଶ। ମଙ୍ଗଳବାର କୋଠସୁଆଁସିଆ ସେବକମାନେ ରଥ ପ୍ରସ୍ତୁତିରେ ଯୋଗ ଦେଇଛନ୍ତି। ତିନି ରଥରେ କନାମଣ୍ଡଣି ହୋଇଛି । ଦରଜିସେବକଙ୍କ ଦ୍ୱାରା ତିଆରି କରାଯାଇଥିବା ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଉଛନ୍ତି । ଏଥିସହ ରଥରେ ଠେକରା ବାଡ଼ ବୁଲିଛି । ବୁଧବାର ରଥରେ ପ୍ରଭା ସ୍ଥାପନ ହେବ ।

ସୂଚନା ଯୋଗ୍ୟ, ମଙ୍ଗଳବାର ଅପରାହ୍ଣରେ ତିନି ରଥରେ ଦୁଆରଘଡ଼ାରେ କନା ପଡ଼ିବା ଆରମ୍ଭ ହୋଇଛି । ପ୍ରଥମେ ତାଳଧ୍ୱଜ ରଥରେ ସବୁଜ ଓ ନାଲି କନା ପଡ଼ିବା ପରେ ନନ୍ଦିଘୋଷରେ ହଳଦିଆ ଓ ନାଲି ଏବଂ ଦେବୀ ରଥରେ କଳା ଓ ନାଲି ରଙ୍ଗ କନା ଲାଗିବା ଆରମ୍ଭ ହୋଇଛି । ତାଳଧ୍ୱଜରେ ସବୁଜ ରଙ୍ଗର, ନନ୍ଦିଘୋଷରେ ହଳଦିଆ ଓ ଦେବୀ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି । ତିନି ରଥରେ ସଖୀଙ୍କୁ ସ୍ଥାପନ କରାଯାଇଛି । ଆଜି ପ୍ରଭା କାର‌୍ୟ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକର । ରଥ ଉପରେ ଠାକୁରଙ୍କ ସିଂହାସନ କାମ ଶେଷ ପର‌୍ୟ୍ୟାୟରେ । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠ ଶେଣୀ ରଖିଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡ଼ିଲା । ପୁଣି ପଟା ପଡ଼ି ଚକା ପଡିବ । ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭା କାମ ସାରି ରୂପକାରମାନେ ସେଥିରେ କୀର୍ତ୍ତିମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରିଥିଲେ । ଚିତ୍ରକର ସେବକମାନେ ସେଥିରେ ରଙ୍ଗ ଦେଇଥିଲେ । ସିଂହାସନ ଉପରେ କନକମୁଣ୍ଡି କାମ ସରିଛି । ଆଗକୁ କନକମୁଣ୍ଡିରେ ପିତଳ ଚାଦର ବୁଲିବ । ରଥମାନଙ୍କର କନା ମଣ୍ଡଣି ସରିବା ପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ

Leave A Reply

Your email address will not be published.