ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

0

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ଗୁରୁବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଯାଜପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଉପକୂଳ ଓଡ଼ିଶା ସମେତ ଦେବଗଡ଼, ସମ୍ବଲପୁର, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଧିକ। ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ କଟକରେ ଏବଂ ଶନିବାର ଉପକୂଳ ଓଡ଼ିଶା ସମେତ ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ପ୍ରଭାବ ରହିବ।

ପ୍ରବଳ ବର୍ଷା ଓ କାଳବୈଶାଖୀକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଆଜି ମଧ୍ୟ ସତର୍କ ସୂଚନା ଜାରି ହୋଇଛି। ଯେକୌଣସି ପ୍ରାକୃତିକ ବିପର‌୍ୟ୍ୟୟର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। ଢେଙ୍କାନାଳରେ ୧୦ ସେମି ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି, କୋରାପୁଟର ପଟାଙ୍ଗି, କନ୍ଧମାଳର ଚକାପାଦ, ଯାଜପୁରରେ ୫ ସେମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ଆଜି ଦିନରେ ପାରଳାଖେମୁଣ୍ଡିରେ ୪୫ ମିମି ଓ ବରଗଡ଼ରେ ୨୭.୬ ମିମି ବର୍ଷା ହୋଇଛି।

Leave A Reply

Your email address will not be published.