ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହଙ୍ଗା ମାଡ଼ରୁ ମିଳିପାରେ ବଡ଼ ଆଶ୍ୱସ୍ତି । ଆସନ୍ତା କିଛି ଦିନ ମଧ୍ୟରେ ଖାଦ୍ୟ ତୈଳ ଉପରେ ମହଙ୍ଗା ମାଡ ଟିକିଏ କମ୍ ହୋଇପାରେ ବୋଲି ଆଶା କରାଯାଉଛି । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟର ବୈଠକ ପରେ ଖାଦ୍ୟ ତେଲ ପ୍ରୋସେସର ଓ ନିର୍ମାତା ତେଲ ଦର ହ୍ରାସ କରିବା ନେଇ ସହମତି ଜଣାଇଛନ୍ତି । ବିଦେଶୀ ମାର୍କେଟରେ ଖାଇବା ତେଲର ଦର ହ୍ରାସ ପାଇଲା ପରେ ଘରୋଇ ଦରରେ ମଧ୍ୟ ହ୍ରାସ କରାଯାଇପାରେ ।
ବୈଶ୍ୱିକ ବଜାରରେ ତୈଳଦର ହ୍ରାସ ପାଇବା ପରେ ଘରୋଇ ବଜାରରେ ଖାଦ୍ୟ ତୈଳର ଦାମ୍ କମ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ତୈଳ ଉତ୍ପାଦନକାରୀ କମ୍ପାନୀ । ଆସନ୍ତା ଦିନରେ ଏହି ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ଗତ ମାସରେ ମଧ୍ୟ ତୈଳଦର ହ୍ରାସ କରିଥିଲେ କମ୍ପାନୀ । ଗତ ଜୁଲାଇରେ ଖାଦ୍ୟ ତୈଳ ଉପରେ ଲିଟର ପିଛା ୩୦ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଥିଲା ଖାଦ୍ୟ ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ ଅଡାନୀ ୱିଲମର । ଯଦି ଖାଇବା ତେଲ ହ୍ରାସ ହୁଏ, ତେବେ ଏହାଦ୍ୱାରା ସାଧାରଣ ଲୋକ ବେଶ୍ ଉପକୃତ ହେବେ ।