ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ଇପିଏଫଓ ଖାତାଧିକାରୀ କି? ତେବେ ଆପଣଙ୍କ ପାଇଁ ବଡ଼ ଖବର । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫ୍ଓକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପାଖାପାଖି ୨୮ କୋଟି ପିଏଫ୍ ଖାତାଧାରକଙ୍କ ଡାଟା ଅନ୍ଲାଇନ୍ ଲିକ୍ ହୋଇଯାଇଛି। ଏଥିରେ ଆଧାର ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଯାଏଁ ସବୁ ତଥ୍ୟ ରହିଛି।
ୟୁକ୍ରେନ୍ର ସାଇବର ସିକ୍ୟୁରିଟି ରିସର୍ଚ୍ଚର ବବ୍ ଡାୟାଚେନ୍କୋ କହିଛନ୍ତି, ଗତ ଅଗଷ୍ଟ ୨ ତାରିଖରେ ସେ ଜାଣିବାକୁ ପାଇଥିଲେ ଯେ ଭିନ୍ନ ଭିନ୍ନ ଆଇପି ଆଡ୍ରେସ୍ରେ ପିଏଫ୍ ଖାତା ଧାରକଙ୍କ ଡାଟା ଲିକ୍ ହୋଇଛି। ଏଥିରୁ ଏକ ଆଇପି ଆଡ୍ରେସ୍ରେ ୨୮,୦୪,୭୨,୯୪୧ ଖାତା ଧାରକଙ୍କ ରେକର୍ଡକୁ ସାର୍ବଜନୀନ କରାଯାଇଥିବା ବେଳେ ଆଉ ଏକ ଆଇପି ଆଡ୍ରେସ୍ରେ ୮୩,୯୦,୫୨୪ ଖାତା ଧାରକଙ୍କ ରେକର୍ଡ ଲିକ୍ ହୋଇଛି। ଏହାକୁ କିଏ ହ୍ୟାକ୍ କଲା, ତାକୁ ନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି ।