ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୀପାବଳିରେ କାଳିପୂଜା ସହ ଧନତେରସ ମଧ୍ୟ ପାଳନ କରାଯାଏ । ପରମ୍ପରା ଅନୁଯାୟୀ, କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ବିଶେଷକରି ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ ଏହି ଦିନ ଯମଙ୍କୁ ପୂଜା କରାଯାଇଥାଏ ।
କାହିଁକି ପାଳନ ହୁଏ ଧନତେରସ?
ଭାରତୀୟ ସଂସ୍କୃତିରେ ଅନେକ ପରମ୍ପରା ରହିଛି । ତାହା ମଧ୍ୟରୁ ଧନତେରସ ହେଉଛି ଅନ୍ୟତମ । ଭାରତୀୟ ସଂସ୍କୃତିରେ ସ୍ୱାସ୍ଥ୍ୟ କୁ ହିଁ ସମ୍ପଦ ବୋଲି କୁହାଯାଏ । ଏଥିପାଇଁ ସ୍ୱାସ୍ଥ୍ୟକୁ ଧନ ଠାରୁ ଅଧିକ ମନେକରାଯାଏ । ଶାସ୍ତ୍ରାନୁଯାୟୀ କୃଷ୍ଣ ତ୍ରୟୋଦଶୀ ଦିନ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ହାତରେ ଅମୃତକଳସ ଧରି ଆର୍ବିଭାବ ହୋଇଥିଲେ । ପୁରାଣରେ ଏଭଳି ମାନ୍ୟତା ରହିଛି ଯେ ଭଗବାନ ଧନ୍ୱନ୍ତରୀ ଭଗବାନ ବିଷ୍ଣୁଙ୍କ ଅଂଶାବତାର ବୋଲି । ସାରା ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ଓ ପ୍ରସାର ପାଇଁ ଭଗବାନ ବିଷ୍ଣୁ ଧନ୍ୱନ୍ତରୀଙ୍କ ଅବତାର ନେଇଥିଲେ । ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଆର୍ବିଭାବ ତଥା ସୁଖ ସମୃଦ୍ଧି ଲାଭ ପାଇଁ ଧନତେରସ ପାଳନ କରାଯାଏ ।
ଏହି ଦିନ ସମସ୍ତେ ନିଜ ଘରକୁ କିଛି ନା କିଛି ଜିନିଷ କିଣି ଆଣିଥାନ୍ତି । ଲୋକକଥାନୁଯାୟୀ ଏହି ଦିନ ନିଜ ସାମର୍ଥ୍ୟ ଅନୁସାରେ ଘର ପାଇଁ କିଛି ରୂପା, ସୁନା କିମ୍ବା ଅନ୍ୟ କୌଣସି ଧାତୁ କିଣିଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଧନ ସମ୍ପତ୍ତି ପ୍ରାପ୍ତି ପାଇଁ କୁବେର ଦେବତାଙ୍କ ଘରର ପୂଜା ସ୍ଥଳିରେ ଏକ ଦୀପ ଦାନ କରନ୍ତୁ ଏବଂ ମୃତ୍ୟୁ ଦେବତା ଯମରାଜଙ୍କ ପାଇଁ ମୁଖ୍ୟଦ୍ୱାରରେ ମଧ୍ୟ ଦୀପ ଦିଅନ୍ତୁ । ବିଶେଷକରି ଲୋଭମାନେ ଏହି ଦିନ ସୁନା କିଣି ଘରକୁ ଆଣିବାର ପରମ୍ପରା ରହିଛି ।