ହେଟ୍ ସ୍ପିଚ୍ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ, କହିଲେ ‘ସରକାର କ’ଣ ନପୁଂସକ ହୋଇଯାଇଛନ୍ତି’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହେଟ୍ ସ୍ପିଚ୍ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ହେଟ୍ ସ୍ପିଚ୍ ମାମଲା ନେଇ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ । ଯଥା ସମ୍ଭବ ଧର୍ମଠାରୁ ରାଜନୀତିକୁ ଅଲଗା ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ହେଟ୍ ସ୍ପିଚ୍କୁ ନେଇ ଦଙ୍ଗା ସୃଷ୍ଟି ହେଉଥିବାରୁ ଚିନ୍ତା ପ୍ରକଟ କରିନ୍ତି ସର୍ବୋଚ୍ଚ ନ୍ୟାୟାଳୟର କେଏମ୍ ଯୋଶେଫ୍ ଓ ଜଷ୍ଟିସ୍ ବି.ବି ନାଗରତ୍ନାଙ୍କ ଖଣ୍ଡପୀଠ । ଦଙ୍ଗା ସୃଷ୍ଟିକାରୀ ବ୍ୟକ୍ତିଙ୍କ ବିରୋଧରେ ସରକାର କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ସରକାର କ’ଣ ନପୁଂସକ ହୋଇଗଲେଣି ? ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।  ‘ଅନେକ ରାଜନେତା ନିଜକୁ ସତ୍ତାରେ ରଖିବାକୁ ଧର୍ମକୁ ନେଇ ରାଜନୀତି କରୁଛନ୍ତି । ଲୋକଙ୍କ ଭାବନାକୁ ଆଘାତ କଲାଭଳି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ହେଲେ ତାଙ୍କ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି? କଥା କଥାକେ କିଛି ରାଜନେତା ବିରୋଧୀଙ୍କୁ କଟାକ୍ଷ କରି କହୁଛନ୍ତି ଯଦି ପାରୁଛ ପାକିସ୍ତାନ ପଳାଅ । ଏସବୁ ଦ୍ୱାରା ଦେଶରେ ହିଂସା ବଢୁଛି । ତେଣୁ ପ୍ରତ୍ୟେକ ନିଜ ନିଜ ଦାୟିତ୍ୱ ଭାବରେ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ ବୋଲି କହିଛନ୍ତି ଖଣ୍ଡପୀଠ ।

ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ପ୍ରତ୍ୟେକ ଭାଷଣକୁ ‘ହେଟ୍‌ ସ୍ପିଚ୍’ ବା ଘୃଣା ସୃଷ୍ଟିକାରୀ ଭାଷଣ ବୋଲି କୁହାଯାଇପାରିବ ନାହିଁ। ସମସ୍ୟା ହେଉଛି ଭାରତୀୟ ଆଇନ ଓ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଘୃଣା ଭାଷଣର ନିର୍ଦ୍ଦିଷ୍ଟ ସଂଜ୍ଞା ନିର୍ଦ୍ଧାରଣ କରାଯାଇ ନାହିଁ। ଜଷ୍ଟିସ୍ କେଏମ୍ ଜୋସେଫ ଓ ବିଭି ନାଗରତ୍ନାଙ୍କ ବେଞ୍ଚ କହିଲେ ଯେ ଦୁଇଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହେଟ୍ ସ୍ପିଚ୍ ପାଇଁ ଆଗତ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଉପରେ ସେମାନେ ରହିତାଦେଶ ଜାରି କରିଛନ୍ତି। କାରଣ ପ୍ରତ୍ୟେକ ଭାଷଣ ଧାରା ୧୫୩ ଅଧୀନରେ ଆସିବ ନାହିଁ।

ସୂଚନାଯୋଗ୍ୟ, ଫେବ୍ରୁଆରି ୫ରେ ମୁମ୍ବାଇଠାରେ ଅନୁଷ୍ଠିତ ହିନ୍ଦୁ ଜନାକ୍ରୋଶ ମୋର୍ଚ୍ଚାକୁ ନେଇ ଆଗତ ମାମଲା ଉପରେ ଶୁଣାଣି ସମୟରେ କୋର୍ଟ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ପୂର୍ବରୁ ଫେବ୍ରୁଆରି ୩ରେ କୋର୍ଟ କହିଥିଲେ ଯେ, ମୋର୍ଚ୍ଚାକୁ ଗୋଟିଏ ସର୍ତ୍ତରେ ଅନୁମତି ଦିଆଯାଇପାରିବ ଯେ ସେମାନେ କୌଣସି ହେଟ୍‌ ସ୍ପିଚ୍ ଦେବେ ନାହିଁ। କାର୍ଯ୍ୟକ୍ରମର ଭିଡ଼ିଓ ସୁଟିଂ କରିବା ପାଇଁ ମଧ୍ୟ କୋର୍ଟ ଆଦେଶ ଦେଇଥିଲେ। ମହାରାଷ୍ଟ୍ର ସରକାରଙ୍କ ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଲେ ଯେ, ମୋର୍ଚ୍ଚାର ରୢାଲି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଆବେଦନକାରୀମା‌ନଙ୍କ ଓକିଲ ନିଜାମ ପାଶା କହିଥିଲେ ଯେ, ଉକ୍ତ ରୢାଲି ସହ ସମ୍ବନ୍ଧିତ ଛୋଟ ଛୋଟ କାର୍ଯ୍ୟକ୍ରମରେ ଘୃଣା ଭାଷଣ ପ୍ରଦାନ କରାଯାଇଥିବାର ପ୍ରମାଣ ଅଛି। ଏସବୁ ଶୁଣି ସାରିବା ପରେ କୋର୍ଟ କହିଥିଲେ ଯେ, ରାଲିର ଭିଡ଼ିଓ ଯାଞ୍ଚ କରିବେ।

Leave A Reply

Your email address will not be published.