ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ହସ୍ ମନି’ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ୨୦୧୬ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଜଣେ ‘ପର୍ଣ୍ଣ ଷ୍ଟାର୍’ଙ୍କୁ ‘ହସ୍ ମନି’ (ଲଜ୍ଜାକର କଥା ପ୍ରଘଟ ନ କରିବାକୁ ଦିଆଯିବା ଅର୍ଥ) ଦିଆଯାଇଥିବା ମାମଲାରେ ଟ୍ରମ୍ପ୍ଙ୍କୁ ନ୍ୟୁୟର୍କର ଏକ ‘ଗ୍ରାଣ୍ଡ୍ ଜୁରି’ ଅଭିଯୁକ୍ତ ସାବ୍ୟସ୍ତ କରିଛନ୍ତି। ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଅପରାଧିକ ମାମଲାରେ ସମ୍ମୁଖୀନ ହେବାରେ ଏହା ହେଉଛି ପ୍ରଥମ ଘଟଣା। କିନ୍ତୁ, ତାଙ୍କ ନାମରେ ଆଗତ ଏହି ଅଭିଯୋଗକୁ ସାର୍ବଜନୀନ କରାଯାଇ ନାହିଁ। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ଙ୍କ ବ୍ୟକ୍ତିଗତ ଓକିଲ ‘ପର୍ଣ୍ଣ ଷ୍ଟାର୍’ (ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର ପାତ୍ରୀ) ଷ୍ଟର୍ମି ଡାନିଏଲ୍ଙ୍କୁ ପ୍ରଦାନ କରିଥିବା ଅର୍ଥ ଘଟଣାରେ ଦୀର୍ଘ ଏକ ବର୍ଷ ତଦନ୍ତ କରାଯିବା ପରେ ନ୍ୟୁୟର୍କରେ ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରାଯାଇଛି। ଟ୍ରମ୍ପ୍ଙ୍କ ସହିତ ଥିବା ଅନୈତିକ ସମ୍ପର୍କ କଥା ପ୍ରଘଟ ନ କରିବା ଲାଗି ଷ୍ଟର୍ମି ଡାନିଏଲ୍ଙ୍କୁ ୧୩୦,୦୦୦ ଟଙ୍କା ଦିଆଯାଇଥିବା କଥା ତଦନ୍ତରୁ ଜଣାପଡ଼ିବା ପରେ ‘ଗ୍ରାଣ୍ଡ୍ ଜୁରି’ ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରାଯିବା ସପକ୍ଷରେ ଭୋଟ୍ ଦେଇଛି। ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରାଯାଇଛି ବୋଲି ଏହି ଘଟଣାର ତଦନ୍ତ କରିଥିବା ମାନ୍ହଟନ୍ ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ଅଲ୍ବିନ୍ ବ୍ରାଗ୍ଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି। ୨୦୨୪ରେ ‘ରିପବ୍ଲିକାନ୍’ ପାର୍ଟିରୁ ପୁଣି ରାଷ୍ଟ୍ରପତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଚାହୁଁଥିବା ଟ୍ରମ୍ପ୍ କିନ୍ତୁ, ଏହି ତଦନ୍ତକୁ ରାଜନୈତିକ ଆକ୍ରୋଶ ବୋଲି କହିଛନ୍ତି। କୌଣସି ପ୍ରମାଣ ନ ଦେଇ ଥିଲେ ବି ଟ୍ରମ୍ପ୍ କହିଛନ୍ତି, ଏହା ହେଉଛି ରାଜନୈତିକ ଆକ୍ରୋଶ ଏବଂ ନିର୍ବାଚନରେ ହସ୍ତକ୍ଷେପ। ଏହି ମାମଲାରେ ମୁଁ ସମ୍ପୂର୍ଣ୍ଣ ନିର୍ଦୋଶ।
କହିରଖେ କି, ନିକଟରେ ଟ୍ରମ୍ପ୍ଙ୍କ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍କୁ ରିଷ୍ଟୋର୍ (ପୁଣି ଥରେ ଚଳା ଯାଇଛି) କରାଯାଇଛି। ଟ୍ରମ୍ପ୍ଙ୍କ ଉଭୟ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍କୁ ରିଷ୍ଟୋର୍ କରିଛି ମେଟା। ବ୍ୟାନ୍ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପ୍ଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ରିଷ୍ଟୋର୍ ହୋଇଛି। ଫେସ୍ବୁକ୍ର ମୂଳ କମ୍ପାନି ମେଟା ଏକ ବ୍ଲକ୍ ପୋଷ୍ଟ୍ ଜରିଆରେ ଏ ସଂପର୍କରେ ସୂଚନା ଦେଇ ଲେଖିଛି ଯେ ‘ଲୋକମାନଙ୍କର ଜାଣିବା ଦରକାର ଯେ ସେମାନଙ୍କ ରାଜନେତା ଭଲ, ଖରାପ, ଅସଙ୍ଗତ କ’ଣ ବାର୍ତ୍ତା ଦେଉଛନ୍ତି। ଏବେ ସର୍ବସାଧାରଣ ସେ କଥାକୁ ଶୁଣିବାକୁ ସମର୍ଥ।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟ୍ବିଟର୍ ଆକାଉଣ୍ଟ୍ ବ୍ୟାନ୍ ରହିଥିବା ବେଳେ ଏହାକୁ ରିଷ୍ଟୋର୍(ପୁଣି ଥରେ ଚଳାଇବାକୁ) ଇଚ୍ଛା ପ୍ରକାଶ କରିଥିଲେ ଟ୍ବିଟର୍ର ନୂଆ ମାଲିକ ଏଲନ୍ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍କୁ ବ୍ୟାନ୍ କରି ଦିଆଯାଇଥିଲା। ଟେସ୍ଲାର ସିଇଓ ତଥା ଟ୍ବିଟର୍ର ନୂଆ ମାଲିକ ମସ୍କ କହିଥିଲେ କି ସେ ତାଙ୍କର ପ୍ରଥମ କାମ ହେଉଛି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଆକାଉଣ୍ଟ୍କୁ ରିଷ୍ଟୋର୍ କରିବା। ମାତ୍ର ପୂର୍ବରୁ ଟ୍ରମ୍ପ୍ ଥରେ କହିଥିଲେ ଯେ ଟ୍ବିଟର୍ ତାଙ୍କ ଆକାଉଣ୍ଟ୍କୁ ରିଷ୍ଟୋର୍ କଲେ ମଧ୍ୟ ସେ ଆଉ ଟ୍ବିଟର୍କୁ ଫେରିବେ ନାହିଁ।