ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶୁକ୍ରବାର ଶେଷ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ଏହି ୬ ଦିନ ଭିତରେ ଆଉ ୪ଟି କାର୍ଯ୍ୟ ଦିବସ ଥିଲା। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ମୋଟ ୨୩ଟି କାର୍ଯ୍ୟ ଦିବସ ଚାଲିଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଥିଲା । ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରିଥିବା ତିନୋଟି ବିଲ୍କୁ ପ୍ରତ୍ୟାହାର କରି ନେଇଥିଲେ। ତେବେ ଏହି ଅଧିବେଶନ ଆରମ୍ଭରୁ ଶେଷ ଯାଏଁ ବେଶ ସରଗରମ ରହିଥିଲା। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ, ୫-ଟି ରୂପାନ୍ତରଣ ପ୍ରସଙ୍ଗ, ଅଫିସର ରାଜ୍, ସୀମା ବିବାଦ, ମହାନଦୀ ଜଳବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ବିରୋଧୀ ଦଳ ମୁଖ୍ୟ ମୁଦ୍ଦା କରିଥିଲେ। ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜେ ଗ୍ରହଣ କରି ପାରି ନଥିଲେ ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବା ବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା।
ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇ ପାରୁ ନଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା। କଂଗ୍ରେସ ବି ଏହାକୁ ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ବୋଲି କହିଛି। ସେପଟେ ବିଜେଡି କହିଛି ଗୃହର ସେପରି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଅଧିବେଶନକୁ ସମାପ୍ତ କରାଯାଉଛି। ତେବେ ପ୍ରଶ୍ନ ଉଠୁଛି ରାଜ୍ୟର ସ୍ବାର୍ଥ ସମ୍ବଳିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିବା ସତ୍ତ୍ବେ ବି କାହିଁକି ନିର୍ଦ୍ଧାରିତ ସମୟ ପୂୂର୍ବରୁ ଗୃହକୁ ମୁଲତବୀ କରିଦେଉଛନ୍ତି ରାଜ୍ୟ ସରକାର। ପୂର୍ବର ଶୀତ ଅଧିବେଶନ ମଧ୍ୟ ମାତ୍ର ୮ ଦିନ ଚାଲିପାରିଥିଲା। ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୧ରେ ସରିବାର ଥିଲା । ମାତ୍ର ସରକାର ଡିସେମ୍ବର ୨ରେ ଏହାକୁ ବନ୍ଦ କରିଦେଇଥିଲେ। ଗତ ଅଦିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପାଇଁ ବ୍ୟୟ ବରାଦ ବିଧାନସଭାରେ ପାରିତ ହୋଇଥିଲା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ପାରିତ ହୋଇଥିଲା ବ୍ୟୟ ମଞ୍ଜୁରୀ ବିଲ । ଏହାସହ ୨୦୨୧-୨୨ ବର୍ଷର ସିଏଜି ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଥିଲା।
ସୂଚନାଯୋଗ୍ୟ, ୧୬ତମ ବିଧାନସଭାର ୧୬ତମ ଅଧିବେଶନ ଗତ ନଭେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। ମାତ୍ର ୮ ଦିନର କାର୍ଯ୍ୟ ପରେ ଶେଷ ହୋଇଛି। ଏହି ଆଠ ଦିନ ମଧ୍ୟରେ ଚାଷୀ ପ୍ରସଙ୍ଗ ଓ ଅର୍ଚ୍ଚନା ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ହଙ୍ଗାମା କରିଥିଲେ। ସେହିପରି ଶିକ୍ଷକ ସଂଘର ଆନ୍ଦୋଳନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିଲା।