ଖାଦ୍ୟ ପାଇଁ ଛଟପଟ ହେଉଛି ପାକିସ୍ତାନ: ଠେଲାପେଲାରେ ଗଲାଣି ୧୬ ଜଣଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ପାକିସ୍ତାନବାସୀ । ଦେଶର ଅର୍ଥନୀତି ତଳିତଳାନ୍ତ ହୋଇସାରିଥିବା ବେଳେ, ରାଜନୈତିକ ହଟଚମଟ ବି ଥମିବାର ନାଁ ନେଉନି । ହେଲେ ଗରିବ ଜନସାଧାରଣଙ୍କର ସେଥିରେ ରୁଚି ନାହିଁ । କାରଣ ପେଟର ଭୋକ ସେମାନଙ୍କ ରାତିର ନିଦ ହଜାଇ ଦେଇଛି । ଶେହବାଜ ସରିଫ ସରକାର ମାଗଣା ଅଟା ସ୍କିମ୍ ଘୋଷଣା କରିବା ପରେ, ଲୋକେ ଆଶ୍ୱସ୍ତି ପାଇବେ କଣ, ବରଂ ଦଳାଚକଟାରେ ପ୍ରାଣ ହରାଉଛନ୍ତି । ବିଶେଷ କରି ଗରିବ ବର୍ଗର ଲୋକମାନେ ସବୁଠୁ ଅସୁବିଧାରେ ରହିଛନ୍ତି। ନିଜ ପାଇଁ ଦୁଇମୁଠା ଖାଇବା ଯୋଗାଡ଼ କରିବା ଲାଗି ସେମାନଙ୍କୁ ନିଜ ଜୀବନ ବାଜିରେ ଲଗାଇବାକୁ ପଡ଼ୁଛି। ମୁଠାଏ ଅଟା ପାଇବା ଲାଗି ଭିଡ଼ ଭିତରେ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଦେଶର ବିଭିନ୍ନ ସ୍ଥାନରେ ଅଟା ପାଇବା ଲାଗି ଭିଡ଼ରେ ଠେଲାପେଲା ଯୋଗୁ ବହୁ ଲୋକ ଆହତ ହୋଇଥିବା ବେଳେ ୧୬ ଜଣଙ୍କ ଜୀବନ ଯାଇଛି। ସେମାନେ ସମେସ୍ତ ହେଉଛନ୍ତି ମହିଳା ଓ ଶିଶୁ। ଖାଦ୍ୟ ଯୋଗାଡ଼ କରିବା ଲାଗି ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ କିଛି ସ୍ଥାନରେ ପୁଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକ ପଡ଼ିଛି। ପାକିସ୍ତାନର ଅବସ୍ଥା ଖରାପରୁ ଆହୁରି ଦୟନୀୟ ହେବାରେ ଲାଗିଛି। ‌

ସରକାରଙ୍କ ପାଖରେ ନାମକୁ ମାତ୍ର ବିଦେଶୀ ମୁଦ୍ରା ରହିଛି। ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ୨୮୭ ଟଙ୍କା ୨୯ ପଇସା ହୋଇଗଲାଣି। ମୁଦ୍ରାସ୍ଫୀତି ହାର ୫୮ ବର୍ଷର ସର୍ବୋଚ୍ଚ ସ୍ତର ରେକର୍ଡ ୩୫%ରେ ପହଞ୍ଚିଛି। ମାର୍ଚ୍ଚ ମାସରେ ଖାଦ୍ୟ ମୂଲ୍ୟରେ ୫୦% ଭଳି ବୃଦ୍ଧି ହୋଇଛି। ସରକାର ଚେତାବନୀ ଦେଇ କହିଛନ୍ତି ଯେ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଗରିବ ଲୋକଙ୍କୁ ସାହାଯ୍ୟ କରିବା ଲାଗି ଯେଉଁମାନେ ଦାନ କରୁଥିଲେ ସେମାନେ ସେଠାରେ ସଂଘର୍ଷ କରୁଛନ୍ତି। ଯେଉଁମାନେ ଅଳ୍ପ ରାଶି ଦାନ ଦେଉଥିଲେ ସେମାନେ ଦାନ ଦେବା ବନ୍ଦ କରିଦେଇଥିବା ବେଳେ ଯେଉଁମାନେ ବଡ଼ ରାଶି ଦେଉଥିଲେ ସେମାନେ ଦାନରାଶି ପରିମାଣ ହ୍ରାସ କରିଛନ୍ତି। ଚଳିତ ବର୍ଷ ଦାନରାଶି ୫୦% ହ୍ରାସ ପାଇଥିବା ବେଳେ ସହାୟତା ଚାହୁଥିବା ଲୋକଙ୍କ ସଂଖ୍ୟା ୫୦% ବଢ଼ିଛି। ପେଟ୍ରୋଲ୍ ଓ ଡିଜେଲ୍‌ ମହଙ୍ଗା ହେବା ପରେ ଦାତବ୍ୟ କାର୍ଯ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଲୋକମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ପାକିସ୍ତାନରେ ଏବେ ଦୁର୍ଭିକ୍ଷ ଭଳି ସ୍ଥିତି। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନ ଏବେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପାଣ୍ଠିକୁ ଚାହିରହିଛି। ନିକଟରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସରକାରୀ ମାଗଣା ଅଟା କେନ୍ଦ୍ରରେ ଦଳଚକଟା ଘଟି ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନର ସାହିୱାଲରେ ଦଳାଚକଟା ଘଟି ଅତି କମରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ, ୫୬ ଜଣ ଆହତ ହୋଇଥିଲେ । ସେହିପରି ଦକ୍ଷିଣ ପଞ୍ଜାବର ସାହିୱାଲ, ବାହାୱଲପୁର, ମୁଜାଫରଗଡ଼ ଏବଂ ଓକାରାରେ ବି ମାଗଣା ଅଟା ନେବାକୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ପରେ, ଲୋକେ ହାତାହାତି ହୋଇଥୁବା ଚିତ୍ର ସାମ୍ନାକୁ ଆସିଥିଲା । ମୁଜାଫରଗଡ଼ରେ ମାଗଣା ଅଟା ବୋଝେଇ ଟ୍ରକ୍ ଚୋରି ହୋଇଯାଇଥିବା ଅଭିଯୋଗ ଆସିଆଥିଲା ।

କେବଳ ପଞ୍ଜାବ ନୁହେଁ, ଖାଇବର ପଖତୁନଖ୍ୱାରେ ବି ମାଗଣା ଅଟା ପାଇଁ ଦଳାଚକଟା ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ମର୍ଦ୍ଦାନ ସ୍ପୋର୍ଟସ କଂପ୍ଲେକ୍ସରେ ଅଟା ବଣ୍ଟନ କେନ୍ଦ୍ର ଖୋଲାଯାଇଥିବା ବେଳେ, ଗତ ସପ୍ତାହରେ ଚାର୍ସାଦା ବଜାରରେ ରମଜାନ ପ୍ରଥମ ଦିନ ଜଣଙ୍କ ମୃତ୍ୟୁ ଓ ୯ ଜଣ ଆହତ ହୋଇଥିବା ଖବର ପ୍ରକାଶ ପାଇଛି । ସେପଟେ ଦେଶରେ ହୋସ୍ ଉଡ଼ାଉଛି ଆକାଶଛୁଆଁ ଅଟା ଦର । ରୁଟି ଖଣ୍ଡେ ପାଇଁ ଡହଳବିକଳ ଗରିବଗୁରୁବା । ପାକିସ୍ତାନରେ ୨୦ କେଜିଆ ଅଟା ପ୍ୟାକେଟ୍ ଦାମ୍ ଏବେ ୩ ହଜାର ଟଙ୍କା ଥିବା ସୂଚନା ମିଳିଛି । ଯାହାକି ସାଧାରଣ ଲୋକଙ୍କ ପାଇଁ କିଣିବା ବର୍ତ୍ତମାନ ସ୍ଥିତିରେ ଏକପ୍ରକାର ଦୁଃସାଧ୍ୟ । ଆଗକୁ ଖାଦ୍ୟ ସଂକଟ ଆହୁରି ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଗୋଟିଏ ବର୍ଷରେ ପାକିସ୍ତାନର ଅଟାଦର ୧୨୦ ପ୍ରତିଶତ ବଢ଼ିଛି । ସ୍ଥିତିକୁ ଆହୁରି ଜଟିଳ କରିଛି କଳାବଜାରୀ । ଗରିବଙ୍କ ପାଇଁ ରିହାତି ଦରରେ ବିକ୍ରି ହେବାକୁ ଥିବା ଅଟା କଳାବଜାରି ହେବା ଫଳରେ, ବହୁ ହିତାଧିକାରୀ ୪-୫ ଘଣ୍ଟା ଧାଡ଼ିରେ ଠିଆ ହେବା ପରେ ବି ଅଟା ନପାଇ ଖାଲି ହାତରେ ଫେରୁଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.