ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଚୁମ୍ବନ ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଅଦାଲତଙ୍କ କ୍ଲିନଚିଟ୍ । ଶିଳ୍ପା ସେଟ୍ଟୀଙ୍କୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସଭାମଞ୍ଚ ଉପରେ ଚୁମ୍ବନ ଦେଇଥିବା ନେଇ ୨୦୦୭ ମସିହାରେ ହୋଇଥିବା ଅଶ୍ଳୀଳତା ମାମଲାରେ ଦୋଷମୁକ୍ତ ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା। ମୁମ୍ବାଇର ଏକ ଅଦାଲତ କହିଛନ୍ତି ଯେ ସାର୍ବଜନୀନ ସ୍ଥଳରେ ଜଣେ ମହିଳା ଯଦି ଅଶାଳୀନ ଆଚରଣର ଶିକାର ହୁଅନ୍ତି ତେବେ ଉକ୍ତ ଘଟଣାରେ ତାଙ୍କୁ ପକ୍ଷଭୁକ୍ତ କରାଯାଇ ପାରିବ ନାହିଁ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଚୁମ୍ବନ ଦେଇ ନଥିଲେ, ବରଂ ତାଙ୍କୁ ଚୁମ୍ବନ ଦିଆ ଯାଇଥିଲା । ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ସେଟ୍ଟୀଙ୍କୁ ଦୋଷମୁକ୍ତ କରିବା ପାଇଁ ମାଜିଷ୍ଟ୍ରେଟ୍ ଅଦାଲତ ଦେଇଥିବା ଆଦେଶକୁ ବଜାୟ ରଖି ଅତିରିକ୍ତ ସେସନ୍ ଜଜ୍ ଏସ୍ ସି ଯାଦବ ଗତ ସପ୍ତାହରେ କହିଥିଲେ ଯେ ତାଙ୍କ ପକ୍ଷରୁ ଅଶ୍ଳୀଳତା ସ୍ପଷ୍ଟ ହୋଇନାହିଁ। ତେବେ, ଆଜି (ମଙ୍ଗଳବାର) ବିସ୍ତୃତ ରାୟ ଉପଲବ୍ଧ ହୋଇଛି ।
ସୂଚନାଯୋଗ୍ୟ, ୨୦୦୭ ରେ ଯେତେବେଳେ ରିଚାର୍ଡ ଗେରେ ଶିଳ୍ପା ଶେଟ୍ଟୀଙ୍କୁ ଚୁମ୍ବନ ଦେଇଥିଲେ ସେତେବେଳେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହି ଘଟଣା ପରେ ରାଜସ୍ଥାନର ମୁଣ୍ଡାୱାରର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀରେ ଶିଳ୍ପା ଶେଟ୍ଟି ଏବଂ ରିଚାର୍ଡ ଗେରେଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ପରବର୍ତ୍ତୀ ସମୟରେ, ଆଇପିସି ଧାରା ୨୯୨ ୨୯୩, ୨୯୪ (ଅଶ୍ଳୀଳତା) ସହିତ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ମହିଳାଙ୍କୁ ଅଶ୍ଳୀଳ ପ୍ରତିନିଧିତ୍ୱ (ନିଷେଧାଦେଶ) ଅଧିନିୟମ ଅନୁଯାୟୀ ଶିଳ୍ପା ଶେଟ୍ଟୀ ଏବଂ ରିଚାର୍ଡ ଗେରେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏଥି ସହିତ ଶିଳ୍ପା ଶେଟ୍ଟୀ ସୁପ୍ରିମ୍କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ ଏବଂ ଏହାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ। ଏହାକୁ ୨୦୧୭ ମସିହାରେ କୋର୍ଟଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା। ଏହା ପରେ ମୁମ୍ବାଇର ବେଲାର୍ଡ ପିୟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଶୁଣାଣି ହୋଇଥିଲା। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଏବଂ ମହିଳାଙ୍କ ଅଶ୍ଳୀଳ ପ୍ରତିନିଧିତ୍ୱ (ନିଷେଧ) ଆଇନର ବ୍ୟବସ୍ଥା ଅନୁଯାୟୀ ମାଜିଷ୍ଟ୍ରେଟ୍ଙ୍କ ଆଦେଶକୁ ରଦ୍ଦ କରିବାକୁ ପ୍ରାର୍ଥନା କରାଯାଇଥିଲା । ତେବେ ଏହି ମାମଲାରେ ଉଭୟ ପକ୍ଷର ଶୁଣାଣି କରିବା ପରେ ଅଦାଲତ ଏପ୍ରିଲ ୩ ତାରିଖରେ କହିଥିଲେ, ଜଣେ ମହିଳାଙ୍କୁ ରାସ୍ତାରେ ଅସଦାଚରଣ କରାଯାଉଛି କିମ୍ବା ସାର୍ବଜନୀନ ସ୍ଥଳରେ କିମ୍ବା ସାର୍ବଜନୀନ ପରିବହନରେ ସ୍ପର୍ଶ କରାଯାଉଛି ତେବେ ତାଙ୍କୁ ଏହି ମାମଲାରେ ଅଭିଯୁକ୍ତ କିମ୍ବା ଅଂଶୀଦାର ବୋଲି କହାଯାଇପାରିବ ନାହିଁ ଏବଂ ତାଙ୍କୁ ମାମଲା ରୁଜୁ କରିବା ପାଇଁ ଅଟକ ରଖାଯାଇ ପାରିବ ନାହିଁ । ଅଦାଲତ କହିଛନ୍ତି ଯେ ଶିଳ୍ପା ସେଟ୍ଟୀ ଚୁମ୍ବନ ଦେଇ ନଥିଲେ, ବରଂ ତାଙ୍କୁ ଚୁମ୍ବନ ଦିଆଯାଇଥିଲା ।
ଶିଳ୍ପା ଶେଟ୍ଟୀଙ୍କ ଓକିଲ ମଧୁକର ଦଲଭୀଙ୍କ ଅନୁଯାୟୀ, ସେ କ୍ରାଇମ୍ବ୍ରାଞ୍ଚର ଧାରା ୨୩୯ (ପୋଲିସର ରିପୋର୍ଟ ଏବଂ ଦଲିଲକୁ ବିଚାର କରିବା ପରେ ନିର୍ଦ୍ଦୋଷରେ ଖଲାସ) ଏବଂ ୨୪୫ (ଦୋଷମୁକ୍ତ ହେବା ପରେ ନିର୍ଦ୍ଦୋଷରେ ଖଲାସ) ଅନୁଯାୟୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅନ୍ୟପକ୍ଷରେ, ଶିଳ୍ପା ଶେଟ୍ଟୀ ତାଙ୍କ ଆବେଦନ ମାଧ୍ୟମରେ କୋର୍ଟଙ୍କୁ କହିଥିଲେ ଯେ ତାଙ୍କର ଏକମାତ୍ର ଭୁଲ ହେଉଛି ଯେ ସେ ରିଚାର୍ଡ ଗେରେଙ୍କ ଚୁମ୍ବନକୁ ବିରୋଧ କରି ନଥିଲେ, ଯାହା ଅପରାଧ ହୋଇପାରିବ ନାହିଁ। ଖାଲି ସେତିକି ନୁହେଁ ୨୦୦୯ ରେ ଶିଳ୍ପା ଶେଟ୍ଟୀ ଓଡ଼ିଶାର ସାକ୍ଷୀଗୋପାଲ ମନ୍ଦିରକୁ ଆସିଥିଲେ। ଏଠାରେ ଜଣେ ପୁରୋହିତ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ଏହି ଘଟଣା ମଧ୍ୟ ସେହି ସମୟରେ ବହୁ ଧ୍ୟାନ ଆକର୍ଷଣ କରିଥିଲା।