ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୀନ୍ ପୁଣି ଥରେ ତାର ମାଢୁଆ ନୀତିକୁ ଦୋହରାଇଛି । ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବା ନେଇ ଚୀନ୍ ପୁଣି ଥରେ ସକ୍ରିୟ ହୋଇଛି। ନିକଟରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା, ଯାହା ପରେ ଚୀନ୍ ଏବେ ଅରୁଣାଚଳ ପ୍ରଦେଶ ସମ୍ମୁଖରେ ଥିବା ନିଜର ସମସ୍ତ ଏୟାରବେସଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାମ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତକୁ ଲାଗିଥିବା ତିବ୍ଦତରେ ମଧ୍ୟ ନିଜର ବାୟୁଶକ୍ତି ବୃଦ୍ଧି କରିବା ଆରମ୍ଭ କରିଛି । ଏସବୁ ବ୍ୟତୀତ ଚୀନ ଅରୁଣାଚଳକୁ ଲାଗିଥିବା ସୀମା ସେପଟେ ନିର୍ମିତ ରନୱେର ଦୈର୍ଘ୍ୟ ବୃଦ୍ଧି କରିବା ସହ ସିଲିଗୁଡି କରିଡର ନିକଟରେ ନିଜର ନୂଆ ଭୂପୃଷ୍ଠରୁ ଆକାଶରେ କ୍ଷେପଣାସ୍ତ୍ର ମୁତୟନ କରିଛି । ବିଶେଷକରି ଭାରତ-ଚୀନ-ଭୁଟାନ ତ୍ରିଛକିରେ ଥିବା ଡୋକଲାମ ନିକଟରେ କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡ୍ ନିର୍ମାଣ କରୁଛି ଓ ସେଠାରେ କ୍ଷେପଣାସ୍ତ୍ର ସଜ୍ଜିତ କରୁଛି । ସୀମା ନିକଟରେ କ୍ଷେପଣାସ୍ତ୍ର ମୁତୟନ କରିବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଡୋକଲାମ ସୀମା ବିବାଦକୁ ନେଇ ପାଟିତୁଣ୍ଡ ପରେ ୨୦୧୭ରେ ଚୀନ ପ୍ରସ୍ତୁତି ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଡ୍ରାଗନ୍ ଭାରତ ସଂଲଗ୍ନ ଅଞ୍ଚଳର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ହେଲିପ୍ୟାଡ୍ ଏବଂ ଏୟାରଷ୍ଟ୍ରିପ୍ ପ୍ରସ୍ତୁତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚୀନ୍ ତିବ୍ଦତରେ ଥିବା ନିଜ ଏୟାରବେସରେ ଲଢ଼ୁଆ ବିମାନ, ହେଲିକପ୍ଟର, ଆର୍ଲି ଓ୍ବାଣ୍ଣିଂ ସିଷ୍ଟମ (ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ) ଏବଂ ନୂଆ ରାଡାରର ସେନା ମୁତୟନ କରିଛି।
ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଅବିଚ୍ଛେଦ ଅଙ୍ଗ ଓ ଏହାର ସ୍ଥିତାବସ୍ଥା ବଦଳାଇବାକୁ ଚୀନ୍ ଚେଷ୍ଟା କରୁଛି। ଏନେଇ ଆମେରିକା ନିକଟରେ ଦାବି କରିଥିଲା । ଆମେରିକା ସିନେଟର ଦ୍ୱିପାକ୍ଷିକ ପ୍ରସ୍ତାବ ଅନୁଯାୟୀ, ମ୍ୟାକମାହନ୍ ଲାଇନକୁ ଚୀନ୍ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଭାବରେ ସ୍ୱୀକୃତି ଦେଇଛି ଆମେରିକା। ଏଥିସହ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସିନେଟର୍ କହିଛି। ମଙ୍ଗଳବାର ସିନେଟ୍ରେ ପ୍ରସ୍ତାବ ଆଗତ କରି ସିନେଟର୍ ବିଲ୍ ହ୍ୟାଗେର୍ଟି ଓ ଜେଫ୍ ମର୍କଲି କହିଛନ୍ତି, ଦାମ୍ଭ ଦେଖାଇବେ ସହ ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗୀୟ ଅଞ୍ଚଳରେ ଚୀନ୍ ବିପଦ ସୃଷ୍ଟି କରୁଛି। ଏହି ସମୟରେ ସେ ଅଞ୍ଚଳରେ ଥିବା ଆମ ସହଯୋଗୀ ଦେଶ, ବିଶେଷକରି ଭାରତ ପ୍ରତି ଆମର ସମର୍ଥନ ରହିବ ଉଚିତ। ଭାରତ ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହେବା ଉଚିତ ବୋଲି ଦୁଇ ସିନେଟର୍ କହିଛନ୍ତି। ଅରୁଣାଚଳ ପ୍ରଦେଶକୁ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ସିନେଟ୍ର ସର୍ବସମ୍ମତ ସ୍ବୀକୃତି ହାସଲ କରିଥିବା ଏହି ଦ୍ୱିଦଳୀୟ ପ୍ରସ୍ତାବରେ ଘୋଷଣା କରାଯାଇଛି। ବାସ୍ତବ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥା ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରୁଥିବା ଚୀନ୍ ସେନାକୁ ବି ଏଥିରେ ନିନ୍ଦା କରାଯାଇଛି। ଏହାଛଡ଼ା, ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଆମେରିକା-ଭାରତ ସାମରିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହିତ ଆମେରିକା ‘କ୍ୱାଡ୍’କୁ ସମର୍ଥନ କରିବ ବୋଲି ସେମାନେ କହିଛନ୍ତି।