ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗାଡି ଚଳାଇବା ସମୟରେ ସଠିକ୍ ରାସ୍ତା ଅନୁସରଣ କରିବା ଉଦ୍ଦେଶ୍ୟରେ ଜିପିଏସ୍ ବ୍ୟବହାର କରିଥାନ୍ତି ଅଧିକାଂସ ଲୋକେ । ଜିପିଏସ୍ ସବୁବେଳେ ସଠିକ ରାସ୍ତା ଦେଖାଇ ନଥାଏ ଆଉ ଏହା ଦ୍ୱାରା ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥାଏ । କେଉଁଠାରେ ରାସ୍ତା ନଥାଏ ତ ଆଉ କେଉଁଠାରେ ରାସ୍ତା ସରିଯାଇଥାଏ । ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥାଏ । ନିକଟରେ ଜିପିଏସ୍ ଅନୁସରଣ କରିବା ସମୟରେ ଦୁଇଜଣ ମହିଳା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ରିପୋର୍ଟ ଅନୁଯାୟୀ, ହାଓ୍ଵାଇର କେଲୁଆ-କୋନାରେ ଥିବା ଏକ ବନ୍ଦର ପାର୍ଶ୍ବ ଦେଇ ଯାଉଥିବା ମହିଳା ଜିପିଏସ ନିର୍ଦ୍ଦେଶ ଅନୁସାରେ ଗାଡ଼ି ଚଳାଉଥିଲେ ।
ହଠାତ୍ ସେମାନେ ଆବିଷ୍କାର କରିଥିଲେ କି ତାଙ୍କ ଗାଡ଼ି ଜାହାଜ ରହୁଥିବା ସମୁଦ୍ର ପୋତାଶ୍ରୟ ଭିତରକୁ ପଶିଯାଇଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜହାଜ କର୍ମଚାରୀମାନେ ଗାଡିରେ ଥିବା ଉଭୟ ମହିଳାଙ୍କୁ ବୁଡ଼ିଯିବାରୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଉଭୟ ମହିଳାଙ୍କୁ କାରର ଆଗ ଝରକା ଭାଙ୍ଗି ବାହାର କରାଯାଇଥିଲା। ସୂଚନା ଅନୁଯାୟୀ, କାରରେ ଥିବା ଦୁଇ ଜଣ ମହିଳା ବନ୍ଦର ଅଞ୍ଚଳରେ ଥିବା ଏକ ଟୁର୍ କମ୍ପାନୀ ଖୋଜୁଥିବାବେଳେ ଜିପିଏସ୍ ନିର୍ଦ୍ଦେଶ ଅନୁସରଣ କରୁଥିଲେ, ଭୁଲ୍ ମୋଡ଼ ନେବାବେଳେ ତାଙ୍କ କାର ପଶି ଯାଇଥିଲା ସମୁଦ୍ର ଭିତରକୁ ।