ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମରେ ୩୯ ଦିନରେ ତାଲିମ ନେବେ ୮୦୦ କର୍ମୀ। ଆଜିଠୁ ‘ଓଡ଼ିଶାର ସ୍ଥିତି-ଗତି-ପ୍ରଗତି’ ସଂକ୍ରାନ୍ତରେ ତାଲିମ ନେଉଛନ୍ତି କର୍ମୀ। ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଦଳ । ଆସନ୍ତା ୧୯ ତାରଖ ଯାଏ ଦଳ ପକ୍ଷରୁ ସକ୍ରିୟ କର୍ମୀମାନଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି ୩୯ ଦିନରେ ଚାରି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯିବ ।
ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ବରେ ଏନେଇ ଏକ କମିଟି ଗଠିତ ହୋଇଛି । ଏଥିରେ ବହୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି । ତେବେ ଏହି କମିଟି ଶଙ୍ଖ ଭବନରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅତି କମରେ ୩ରୁ ୪ଜଣ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବେ। ଦଳର ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ବିଭାଗର ବିଶେଷଜ୍ଞ, ଅର୍ଥନୀତିଜ୍ଞ, ରାଜନୈତିକ ବିଶାରଦ ମଧ୍ୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି ପ୍ରଶିକ୍ଷିତ ମାଷ୍ଟର ଟ୍ରେନରମାନେ ନିଜ ଅଞ୍ଚଳରେ ବିଧାନସଭା ନିର୍ବାଚନମଣ୍ଡଳୀ, ଜିଲ୍ଲା ପରିଷଦ ଜୋନ ଓ ପଞ୍ଚୟାତସ୍ତରରେ ପ୍ରଶିକ୍ଷଣ ଶିବିରରେ ତଳ ସ୍ତରର କର୍ମୀଙ୍କୁ ତାଲିମ୍ ଦେବେ ।