କର୍ଣ୍ଣାଟକରେ ହିଜାବ ବିବାଦ ବଢ଼ିବାରେ ଲାଗିଛି। କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରେ ହିଜାବ ପ୍ରସଙ୍ଗ ନେଇ ଆଜି ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ କୃଷ୍ଣ ଦୀକ୍ଷିତ ଏହି ମାମଲାର ଶୁଣାଣି କରିଥିଲେ। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମସ୍ତ ଆବେଦନ ଉପରେ ଲାଗୁ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ , ସମ୍ବିଧାନରେ ଥିବା ଆଇନ ଅନୁଯାୟୀ ଚାଲିବୁ । ଏଥି ସହିତ କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ୟୁନିଫର୍ମ ସ୍ଥିର କରିବା ପାଇଁ କଲେଜଗୁଡ଼ିକୁ ସ୍ଵାଧୀନତା ଦିଆଯାଉ, ଯେଉଁ ଛାତ୍ରଛାତ୍ରୀମାନେ ଛାଡ ଚାହୁଁଛନ୍ତି ସେମାନେ କଲେଜ ସହିତ ଯୋଗାଯୋଗ କରନ୍ତୁ।
ତେବେ ହାଇକୋର୍ଟର ଶୁଣାଣି ପୂର୍ବରୁ ଉଡୁପିର ମହାତ୍ମା ଗାନ୍ଧୀ ମେମୋରିଆଲ କଲେଜରେ ବିରୋଧ ଆରମ୍ଭ ହୋଇଯାଇଛି। ହିଜାବ ପିନ୍ଧିବା ନେଇ ଛାତ୍ରଛାତ୍ରୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। ଯେତେବେଳେ କିଛି ଛାତ୍ରୀ ହିଜାବ ପିନ୍ଧି କଲେଜରେ ପହଞ୍ଚିଲେ, ସେମାନଙ୍କୁ ଶ୍ରେଣୀରେ ପ୍ରବେଶ କରାଯାଇନଥିଲା। ଏହାକୁ ବିରୋଧ କରି କିଛି ବିରୋଧୀ ଛାତ୍ରଛାତ୍ରୀ ଗେରୁଆ ଗାମୁଛା ପକାଇ କଲେଜ ଆସିଥିଲେ। ସମାଧାନ ପାଇଁ ଏହି ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଆଜି ଏହାର ଶୁଣାଣି ହୋଇଛି।