ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହଲିଉଡ୍ ସିନେମା ଜଗତରୁ ଆସିଲା ଦୁଃଖଦ ଖବର। ଫିଲ୍ମ ‘ହ୍ୟାରୀ ପୋଟର୍’ରେ ଏଲ୍ବସ ଡମ୍ବଲଡୋର୍ର ରୋଲ୍ ପ୍ଲେ କରିଥିବା ଜଣାଶୁଣା ଅଭିନେତା ସାର୍ ମାଇକେଲ୍ ଗାମ୍ବୋନ୍ଙ୍କ ନିଧନ ହୋଇଛି। ଗାମ୍ବୋନ୍ଙ୍କ ନିଧନରେ ସମଗ୍ର ହଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍ମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ‘ହ୍ୟାରୀ ପୋଟର୍’ରେ ସାର୍ ମାଇକେଲ୍ ଗାମ୍ବୋନ୍ ଏଲ୍ବସ ଡମ୍ବଲଡୋର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଅଭିନେତାଙ୍କ ଚରିତ୍ର ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା।
ରିପୋର୍ଟ ମୁତାବକ, ମାଇକେଲ୍ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିଲେ ଏବଂ ୮୨ ବର୍ଷ ବୟସରେ ଏବେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ନିଧନ ଖବର ତାଙ୍କ ପତ୍ନୀ ସେୟାର କରିଛନ୍ତି। ସେ କହିଛନ୍ତି ଯେ ନିମୋନିଆ ରୋଗରେ ସାର୍ ମାଇକେଲ୍ ଗାମ୍ବୋନ୍ଙ୍କ ନିଧନ ହୋଇଛି। ସେ ଦୀର୍ଘ ଦିନରୁ ହସ୍ପିଟାଲରେ ଭର୍ତ୍ତି ଥିଲେ, ତଥାପି ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା। ପତ୍ନୀ କହିଛନ୍ତି ଯେ ଏଭଳି ଦୁଃଖ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ। ଆପଣଙ୍କ ଭଲ ପାଇବା ଏବଂ ସପୋର୍ଟ ପାଇଁ ବହୁତ ଧନ୍ୟବାଦ।