ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜରେ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ । ଗାଜିପୁରରୁ ଦିଲ୍ଲୀ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରାକରୁ ଖସିଛି । ଟ୍ରେନର ଦୁଇଟି ଡବା ଏବଂ ଇଂଜିନ ଟ୍ରାକରୁ ଖସିପଡିଛି । ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ଖବର ମିଳିଛି । ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ହଠାତ୍ ଟ୍ରାକର ତଳକୁ ଖସି ପଡିଥିଲା ।
ତେବେ ଉତ୍ତର କେନ୍ଦ୍ର ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ରାତି 9ଟା ସୁଦ୍ଧା ପ୍ରୟାଗରାଜ ରେଳ ଷ୍ଟେସନର 6 ନମ୍ବର ପ୍ଲାଟଫର୍ମରେ ସୁପରଫାଷ୍ଟ ଏକ୍ସପ୍ରେସ ଗଡିବା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଲାଇନଚ୍ୟୁତ ହୋଇଯାଇଥିଲା । 2ଟି କୋଚ ଓ ଇଞ୍ଜିନ ରେଳ ଧାରଣା ତଳକୁ ଗଡି ଯାଇଥିଲା । ଲାଇନଚ୍ୟୁତ ସମୟରେ ଟ୍ରେନ ମନ୍ଥର ଗତିରେ ଯାଉଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ । ସୌଭାଗ୍ୟବଶତଃ କୌଣସି ଆହତ କିମ୍ବା ମୃତାହତ ଘଟଣା ସାମ୍ନାକୁ ଆସିନାହିଁ । ତେବେ କେଉଁ କାରଣରୁ ଟ୍ରେନ ଲାଇନଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଯିବ ଓ ଖୁବ ଶୀଘ୍ର ଦୁର୍ଘଟଣାର କାରଣ ଜଣାପଡିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଯେ, ରବିବାର ରାତିରେ ଆନ୍ଧ୍ରପ୍ରଦେଶରେ ଏକ ବଡ଼ ରେଳ ଦୁର୍ଘଟଣା ହୋଇଥିଲା । ଏଥିରେ ଦୁଇଟି ପାଞ୍ଜେସର ଟ୍ରେନ ଧକ୍କା ହେବା ଫଳରେ ୧୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଥିଲେ । ଘଟଣାଟି ବିଜୟନଗରମର କଣ୍ଟାକପ୍ପଲେ ଏବଂ ଆଲମଣ୍ଡା ରେଲେଓ୍ଵ ଷ୍ଟେସନ ମଧ୍ୟରେ ହୋଇଥିଲା ।