ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଗୋଟିଏ ଦିନ ମଧ୍ୟରେ ଚାଇନାରେ ୫,୨୮୦ ନୂଆ କୋଭିଡ ମାମଲା ପଞ୍ଜିକୃତ ହୋଇଛି। ମହାମାରୀ ଆରମ୍ଭରୁ ଏହା ସର୍ବାଧିକ ସଂଖ୍ୟକ ମାମଲା। ସୂଚନାନୁସାରେ, କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ହେଉଛି ଜିଲିନ୍ ପ୍ରଦେଶ। କରୋନା ମାମଲା ବଢୁଥିବ ହେତୁ ପ୍ରାୟ ୧୦ ଟି ସହର ଏବଂ ଜିଲ୍ଲାରେ ଲକଡାଉନ ଲାଗୁ କରାଯାଇଛି। ଯେଉଁଥିରେ ଶେନ୍ଜେନ୍ରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି, ଯାହାକୁ ଚାଇନାର ଟେକ୍ ହବ୍ କୁହାଯାଏ। ପୁଣିଥରେ ସେଠାରେ ସଂକ୍ରମଣ ବଢ଼ି ସ୍ଥିତି ବେହାଲ ହୋଇଛି। ଚୀନ୍ରେ କରୋନାର ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି।
ବାସ୍ତବରେ, କରୋନା କାରଣରୁ ଲଗାଯାଇଥିବା ତାଲା ଯୋଗୁଁ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଲୋକ ନିଜ ଘରେ ବନ୍ଦୀ ଅଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ଦେଶର ପ୍ରାୟ ୧୩ ଟି ସହର ସମ୍ପୂର୍ଣ୍ଣ ଭାବେ ଲକଡାଉନ ହୋଇଛି ଏବଂ ଅନ୍ୟାନ୍ୟ ସହରକୁ ଆଂଶିକ ତାଲା ବନ୍ଦ କରାଯାଇଛି।
ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ସୂଚନା ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ନୂତନ କରୋନା ସଂକ୍ରମଣ ଓମିକ୍ରନ୍ରେ ୧,୩୩୭ ମାମଲା ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ କେବଳ ଶିଳ୍ପାଞ୍ଚଳ ଜିଲିନରେ ୮୯୫ ଟି ମାମଲା ରୁଜୁ ହୋଇଛି। ନୋଟିସ ଜାରି କରି ସରକାର ଏହି ପ୍ରଦେଶରୁ ବାହାରକୁ ଯିବାକୁ ବାରଣ କରିଛନ୍ତି। ସେଠାରୁ ବାହାରକୁ ଯିବାକୁ ପୋଲିସ ଅନୁମତି ଆବଶ୍ୟକ ହେବ। ପରୀକ୍ଷା କେନ୍ଦ୍ରରେ ଔଷଧ ଉପରେ ନଜର ରଖିବା ଏବଂ ସ୍ପ୍ରେ କରିବା ପାଇଁ ଡ୍ରୋନର ସାହାଯ୍ୟ ନିଆଯାଉଛି। କରୋନାର ଏକାଧିକ ଲହରୀ ସାମ୍ନାକୁ ଆସିଛି। କିନ୍ତୁ ଫେବ୍ରୁଆରୀ ୨୦୨୦ ପରଠାରୁ କେବେ ବି ଏବେ ଅଧିକ ମାମଲା ଆସିନଥିଲା। ତେବେ ଏହି ନୂଆ ଲହରୀରେ କାହାର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିନାହିଁ।