ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରମାସରେ ତେର ପର୍ବ ପାଳନ କରନ୍ତି ଓଡ଼ିଆ । ତନ୍ମଧ୍ୟରୁ ଅନ୍ୟତମ ହେଉଛି ଓଡ଼ିଶାର ଗଣପର୍ବ ରଜ । ଆସନ୍ତାକାଲି ରଜ ପାଳିବେ କୁଆଁରୀ । ସେଥିପାଇଁ ଆଜି ଚାଲିଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ଗାଁ ପଡିଆରେ ବନ୍ଧା ହେଲାଣି ବିଭିନ୍ନ ପ୍ରକାରର ଦୋଳି । କୁଆଁରୀମାନେ ପରସ୍ପରକୁ ମେହେନ୍ଦୀ ଲଗାଇ ଦୋଳି ଖେଳିବାକୁ ପ୍ରସ୍ତୁତ ହେଲେଣି ।
ରାତି ପାହିଲେ ମୁଣ୍ଡରେ ଚନ୍ଦନ, କୁଙ୍କୁମ ଟିପା, ହାତରେ ମେହେନ୍ଦୀ ଓ ପାଦରେ ଅଳତା ନାଇ ସଜେଇ ହେବେ କୁଆଁରୀ । କୁଆଁରୀମାନେ ରଜ ୩ଦିନ ପାଳନ ପାଇଁ ନୂଆ ପୋଷାକ, ଦୋଳି ଖେଳିବା, ପିଠା ଖାଇବା, ଖେଳକୁଦ ଓ ମୁଉଜ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। କୁଆଁରିମାନେ ରଜରେ ଦୋଳି ଖେଳବା ସହ ମେହେନ୍ଦୀ ଲଗାଇବା, ପିଠା, ମିଠା ପାନ ଖାଇବାକୁ ପସନ୍ଦ କରିଥାନ୍ତି। ଆଜି ଘରେ ଘରେ ରଜ ସଜବାଜ ସହ ପିଠା ମିଠାର ପ୍ରସ୍ତୁତି ଚାଲିଛି। ସେପଟେ ରଜ କିଣାବିକା ପାଇଁ ବଜାରରେ ଭିଡ ଜମିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ ପାଇଁ ଆଜି ସଜବାଜରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପାତ୍ରପଡା, ପାନ୍ଥନିବାସରେ ରଜ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ବିଭିନ୍ନ ସ୍ୱାଦିଷ୍ଟ ପିଠା ପ୍ରସ୍ତୁତ କରାଯାଉଛି।
ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୁଏ ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଥାଏ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂ ମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୪ ଦିନ ସେମାନେ କୌଣସି କାମ କରିବାକୁ ବାରଣ କରାଯାଇଛି ।