ଛାତ୍ରଛାତ୍ରୀଙ୍କୁ ପାଚିକାଙ୍କ ଦୁର୍ବ୍ୟବହାର ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛାତ୍ରଛାତ୍ରୀ ମାନଙ୍କୁ ପାଚିକାଙ୍କ ଦୁର୍ବ୍ୟବହାରକୁ ନେଇ ଅଭିଭାବକ ମାନେ ତାତିଛନ୍ତି। ଯାହାକୁ ନେଇ ପାଚିକାକୁ ବହିଷ୍କାର ଦାବିରେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆନ୍ଦୋଳନ କରିଛନ୍ତି। ଉକ୍ତ ବିଦ୍ୟାଳୟରେ ମଞ୍ଜୁଲତା ବେହେରା ଓ ସବିତା ବେହେରା ଦୁଇ ଜଣ ପାଚିକା ରହିଛନ୍ତି। କିନ୍ତୁ ସେମାନେ ଠିକ ଭାବେ ତାଙ୍କ କାର୍ଯ୍ୟ ତୁଲାଉ ନାହାଁନ୍ତି।

ଦୁଇ ପାଚିକା ଛାତ୍ରଛାତ୍ରୀଙ୍କୁ ଦ୍ୟୁର୍ବ୍ୟବହାର କରିବା ସହ ମଧ୍ୟାହ୍ନ ଭୋଜନରେ ଅନିୟମିତତା କରୁଥିବାର ନେଇ ପୂର୍ବରୁ ଅଭିଯୋଗ ହେଉଥିଲା। ସ୍କୁଲର ପାଚିକା ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ଦେଉନାହାନ୍ତି। ଏଥି ସହିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ନିମନ୍ତେ ଆସୁଥିବା ଚାଉଳ, ଡାଲି, ପନିପରିବା ଓ ସଉଦା ଆଦିକୁ ହେରଫେର କରୁଥିବାର ଅଭିଯୋଗ କରିଛନ୍ତି। ତେଣୁକରି ତୁରନ୍ତ ଦୁଇ ଜଣ ପାଚିକାଙ୍କୁ ଚାକିରୀରୁ ବହିଷ୍କାର କରିବା ନେଇ ଦାବି କରିଛନ୍ତି। କିନ୍ତୁ ଦାୟିତ୍ବରେ ଥିବା ପାଚିକା ଦୁଇ ଜଣ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ସେମାନଙ୍କୁ ସ୍କୁଲରୁ ବାହାର କରିବା ଲାଗି ଚକ୍ରାନ୍ତ କରାଯାଇଛି ବୋଲି କହିଛନ୍ତି। ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଶିଖାଇ ଫାଟକରେ ତାଲା ପକାଇ ଆନ୍ଦୋଳନ କରାଯାଉଛି ବୋଲି କହିଛନ୍ତି। ଉକ୍ତ ଘଟଣାରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଚିସ୍ମିତା ବେହେରା ଓ ମହୁଳିଆ କ୍ଲଷ୍ଟର ସିଆରସିସି ରୂପାଲି ରୁପାନ୍ୱିତା ପଣ୍ଡାଙ୍କୁ ଅଭିଯୋଗ ବାବଦରେ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ପୁରା ଘଟଣାର ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। କିନ୍ତୁ ଅଭିଭାବକ ମାନେ ଅମଙ୍ଗ ହୋଇ ଆନ୍ଦୋଳନ ଜାରି ରଖିଥିଲେ। ତେବେ ଶ୍ୟାମାଖୁଣ୍ଟା ବ୍ଲକ ବିଡ଼ିଓ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନରତ ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ବୁଝାସୁଝା କରିବା ପରେ ଥଣ୍ଡା ପଡିଥିଲା। ପାଚିକାଙ୍କ ବିରୁଦ୍ଧରେ ଅଭିଯୋଗ ବାବଦରେ ସ୍କୁଲ ପରିଚାଳନା କମିଟି ଦ୍ଵାରା ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା। ଏଥିପରେ ପ୍ରାୟ ୩ଘଣ୍ଟାର ଆନ୍ଦୋଳନ ପରେ ବିଦ୍ୟାଳୟ ଫାଟକ ଖୋଲିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.