ବିଷାକ୍ତ ମଦ ପିଇ 16 ଜଣ ଅସୁସ୍ଥ, ଜଣେ ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜେନାପୁର ଅଞ୍ଚଳର ଜୁର ବେହେରା ବୋଲି ଜଣାଯାଇଛି । ଏମକେସିଜି ମେଡ଼ିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଜୁର ବେହେରାଙ୍କ ପ୍ରାଣହାନି ଘଟିଛି। ଗତକାଲି ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଫୋନ କରି ସୂଚନା ଦେଇଛନ୍ତି ମୃତକଙ୍କ ସାନପୁଅ ଶିବ ବେହେରା।

ମୃତକ ଚିକିଟି ଜେନାପୁର ବାସିନ୍ଦା। ଜୁର ବେହେରାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜେନାପୁର ଠାରେ ମୃତକ ଜୁର ବେହେରାଙ୍କ ଶବ ରଖି ରାସ୍ତାରୋକ ଆରମ୍ଭ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ, ଏହି ଘଟଣା ପ୍ରଚାରିତ ହେବା ପରେ ଜେନାପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଚିକିଟି- ଜନାପୁର ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ସ୍ଥିତି ଶାନ୍ତ ହୋଇ ନ ଥିବା ଜଣାଯାଇଛି।

ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୩ ଜଣ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୂ ହୋଇଥିବା ବେଳେ ଏବେ ବି ଆଇସିୟୁରେ ୨ ଜଣ ଚିକିତ୍ସିତ ହେଉଛନ୍ତି। ଚିକିଟିରେ ୨ ଜଣ ଚିକିତ୍ସିତ ଥିବା ବେଳେ ସେମାନେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାଯାଇଛି।

Comments are closed.