ଓଡ଼ିଆ ନ୍ୟୁଜ୍: ସରକାରୀ ଯୋଜନାରେ ବଡ଼ ପରିବର୍ତ୍ତନ। ଅକାମୀ ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି।୩ରୁ ୪ ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା ଯୋଜନା ହେବ ବନ୍ଦ। କେନ୍ଦ୍ରୀୟ ଯୋଜନାରେ କିପରି ହିତାଧିକାରୀ ଉପକୃତ ହେବେ ସେନେଇ ପଦକ୍ଷେପ। ACSଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୧୬ରୁ ୧୮ ଉଚ୍ଚସ୍ତରୀୟ ବୈଠକ ବସିଥିଲା।ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଥିଲା।
ସରକାର ସମସ୍ତ ରାଜ୍ୟ ପରବର୍ତ୍ତୀ ଯୋଜନା (State Sector Schemes) ଗୁଡ଼ିକୁ ସେଗୁଡ଼ିକର ପ୍ରଭାବ ଆଧାରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ପ୍ରାଥମିକତା ବର୍ଗରେ ବିଭକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ପ୍ରାଥମିକତାପ୍ରାପ୍ତ ଯୋଜନାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ଏଥିସହିତ ଗତ ତିନିରୁ ଚାରି ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା କିମ୍ବା କେବଳ ନାମମାତ୍ର ବରାଦ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ କରିବା ନେଇ ବିଚାର କରାଯିବ।
ଯେଉଁଠାରେ ସମ୍ଭବ, ସମାନ ପ୍ରକୃତିର ଯୋଜନାଗୁଡ଼ିକୁ ଏକତ୍ର କରି ଗୋଟିଏ Umbrella Scheme ଅଧୀନରେ ଆଣିବାକୁ କୁହାଯାଇଛି। ଏହାଛଡ଼ା, କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ସର୍ବାଧିକ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ଏବଂ କୌଣସି ଅବଶିଷ୍ଟ ତ୍ରୁଟି ରହିଲେ ତାହା ରାଜ୍ୟ ସରକାର ପୂରଣ କରିବେ।
ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ ‘ଅନୁସନ୍ଧାନ, ମୂଲ୍ୟାୟନ ଏବଂ ନୀରିକ୍ଷଣ’ (REM) ବାବଦରେ ପ୍ରତ୍ୟେକ ବଡ଼ ଯୋଜନାରେ କିଛି ଅର୍ଥ ବରାଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗ ସେମାନଙ୍କର ରାଜ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ଚୂଡ଼ାନ୍ତ ତାଲିକା ଆସନ୍ତା ୧୫ ଦିନ ମଧ୍ୟରେ ଯୋଜନା ଓ ସମନ୍ୱୟ ବିଭାଗକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।