ଓଡ଼ିଆ ନ୍ୟୁଜ୍: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି । ଦକ୍ଷିଣପୂର୍ବ ଆରବ ସାଗର, ଦକ୍ଷିଣପଶ୍ଚିମ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର କିଛି ଅଂଶ, ଆଣ୍ଡାମାନ ସାଗରର ଅଧିକାଂଶ ଅଂଶକୁ ମୌସୁମୀ ଛୁଇଁଛି । ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୩-୪ ଦିନ ଭିତରେ ଆଣ୍ଡାମାନ ସାଗରର ବାକି ଅଂଶ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଆଗାମୀ ୩-୪ ଦିନରେ ଦକ୍ଷିଣ-ପୂର୍ବ ଆରବ ସାଗର ଏବଂ ବଙ୍ଗୋପସାଗରର ଅଧିକ ଅଞ୍ଚଳକୁ ବ୍ୟାପିବ।
ଆଗାମୀ ୭୨ ରୁ ୯୬ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଆଣ୍ଡାମାନ ଦ୍ଵୀପପୁଞ୍ଜରେ ପହଞ୍ଚିଯିବ ମୌସୁମୀ । ଏହାସହ ପୂର୍ବ-ମଧ୍ୟ ବଙ୍ଗୋପସାଗରର କିଛି ଅଂଶକୁ ମଧ୍ୟ ସ୍ପର୍ଶ କରିବ । ସାଧାରଣତଃ ମୌସୁମୀ ବାୟୁ ମେ ୨୦ ରୁ ୨୨ ତାରିଖରେ ଆଣ୍ଡାମାନ ଛୁଇଁଥାଏ । ମେ ୧୬ ସୁଦ୍ଧା ମୌସୁମୀ ଆଣ୍ଡମାନ ପହଞ୍ଚିଥିବାରୁ ଚଳିତ ବର୍ଷ ମୌସୁମୀ ସାମାନ୍ୟ ପୂର୍ବରୁ ଆସିପାରେ। ଯଦି ଏହି ଗତି ଜାରି ରହେ ତେବେ ମେ ୨୬ ତାରିଖ ବେଳକୁ କେରଳ ଉପକୂଳରେ ମୌସୁମୀ ପହଞ୍ଚିବ । କେରଳରେ ମୌସୁମୀ ପହଞ୍ଚିବାର ୧୦-୧୨ ଦିନ ପରେ ଓଡ଼ିଶା ଛୁଇଁଥାଏ । ତେଣୁ ଜୁନ ପ୍ରଥମ ସପ୍ତାହ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ।