ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁରରେ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା ୨ ଅଭିଯୁକ୍ତଙ୍କୁ ପୋଲିସର ଏନ୍କାଉଣ୍ଟର। ବ୍ରହ୍ମପୁର ଉପକଣ୍ଠ ରତ୍ନପୁରରେ ପୋଲିସର ଏନ୍କାଉଣ୍ଟର। ବଡ଼ଗଡ଼ ନୂଆଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁର ସରୋଜ ପଣ୍ଡାଙ୍କୁ ଗୁଳି। ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ସଂପୃକ୍ତ ଥିଲେ। ରାଜସ୍ଥାନରୁ ୪ ଅଭିଯୁକ୍ତଙ୍କୁ ଧରି ରିମାଣ୍ଡରେ ଆଣୁଥିଲା ପୋଲିସ। ରତ୍ନପୁରରେ ୨ ଅଭିଯୁକ୍ତ ଫେରାର ଉଦ୍ୟମ କରିଥିଲେ। ପୋଲିସ ଗୋଡ଼ାଇବା ବେଳେ ବୋମାମାଡ଼ ସହ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ୨ ଆହତ, ଏମ୍କେସିଜିରେ ଭର୍ତ୍ତି।ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ପ୍ରମୁଖ ଭୂମିକା ରହିଛି । ସୁଧୀରଙ୍କ ହତ୍ୟା ପରେ ଏହି ଦୁଇ ଜଣ ଦୀର୍ଘଦିନରୁ ଫେରାର ଥିଲେ ।
ଖବର ଅନୁଯାୟୀ, ଗତମାସ ୧୫ ତାରିଖରେ ଏମାନେ ପ୍ଲଟ୍ ବ୍ୟବସାୟୀ ସୁଧୀରଙ୍କୁ ଅପହରଣ କରିଥିଲେ । ଅପହରଣ ବଦଳରେ ପରିବାରକୁ ଟଙ୍କା ମାଗିଥିଲେ ଅଭିଯୁକ୍ତ । ହେଲେ ପରବର୍ତ୍ତୀ ସମୟରେ ସୁଧୀରଙ୍କୁ ବୁଗୁଡ଼ା ରାମପାଦ ଜଙ୍ଗଲରେ ହତ୍ୟା କରିଥିଲେ ଅଭିଯୁକ୍ତ । ସୁଧୀର ପାତ୍ରଙ୍କ ଉପରକୁ ଗୁଳି ଚଳାଇ ସରୋଜ ଓରଫ ବିକି ଡରାଉଥିଲା । ସେହିପରି ରଞ୍ଜନ ସୁଧୀରଙ୍କ ପରିବାରକୁ ଫୋନ କରି ଧମକ ଦେଉଥିଲା । ଏହି ମାମଲାରେ ସରୋଜ ଓ ରଞ୍ଜନଙ୍କ ସମେତ ଆଉ ଦୁଇଜଣ ସୁମିତ ସିଂହ ସୁନିଲ ରାଜପୁତ ଓ ମୁକେଶ ସାହୁ ମୋଟ୍ ୪ ଜଣଙ୍କୁ ପୋଲିସର ସ୍ୱତନ୍ତ୍ର ଟିମ୍ ରାଜସ୍ଥାନରୁ କାବୁ କରି ବ୍ରହ୍ମପୁର ଫେରୁଥିଲା । ଆଙ୍କୁଶପୁର ନିକଟରେ ପୋଲିସକୁ ଆକ୍ରମଣ କରି ସରୋଜ ଓ ରଞ୍ଜନ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପୋଲିସର ପାଲଟା ଗୁଳିରେ ସରୋଜ ଓ ରଞ୍ଜନ ଆହତ ହୋଇଛନ୍ତି । ରଞ୍ଜନର ଡାହାଣ ଗୋଡରେ ଗୋଟିଏ ଗୁଳି ଓ ବିକିର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ସେମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।