ଓଡ଼ିଆ ନ୍ୟୁଜ୍: ଆଜି ବିଜେପିରେ ଯୋଗଦେଇପାରନ୍ତି ଦେବାଶିଷ ସାମନ୍ତରାୟ। ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଗତକାଲି ବିଜେଡି ଛାଡ଼ିଥିଲେ। ଉଭୟ ଦଳରୁ ଓ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଦିଲ୍ଲୀରେ ରାଜ୍ୟ ସଭା ଅଧ୍ଯକ୍ଷ ସି.ପି ରାଧାକ୍ରିଷ୍ଣନ୍ ଙ୍କୁ ଭେଟି ଇସ୍ତଫା ଦେଇଥିଲେ।
ଆଜି ଦିନ ୧୧ଟାରେ ଦିଲ୍ଲୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେବେ। ଏହି ଯୋଗଦାନ ବେଳେ ବିଜେପିର ଜାତୀୟ ସଭାପତି, ରାଜ୍ୟ ସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ଏହାପରେ ସେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିବେ। ଗତ କିଛି ଦିନ ଧରି ଦେବାଶିଷ ବିଜେପି କେନ୍ଦ୍ରୀୟ ନେତୃତ୍ବ ସହ ଯୋଗାଯୋଗ ଯୋଗରେ ଥିଲେ। ବିଜେପିରୁ ସବୁଜ ସଙ୍କେତ ମିଳିବାପରେ ଦେବାଶିଷ ସୋମବାର ବିଜେଡି ଛାଡ଼ିଥିଲେ।
ସୂଚନାଯୋଗ୍ୟ ଯେ, ୨୦୦୦ ମସିହାରେ ପ୍ରଥମେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦେବାଶିଷ। ପରେ ବାରବାଟୀ-କଟକ ଆସନରୁ ୨୦୦୯ ଓ ୨୦୧୪ରେ ବିଜେଡିରୁ ଲଢି ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବାରବାଟୀ-କଟକ ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ. ମହମ୍ମଦ ମୋକିମଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୨୪ ନିର୍ବାଚନରେ ସେ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ବିଶ୍ୱାସକୁ ନେଇନଥିଲା। ବରଂ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ସୁଯୋଗ ଦେଇଥିଲା।