ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମନ୍ତ୍ରୀଙ୍କ ପୁତୁରାଙ୍କ ନାଁରେ ରୁଜୁ ହେଲା ମାମଲା

0

ଓଡ଼ିଆ ନ୍ୟୁଜ୍: ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମନ୍ତ୍ରୀଙ୍କ ପୁତୁରାଙ୍କ ନାଁରେ ରୁଜୁ ହେଲା ମାମଲା। ବ୍ରହ୍ମପୁର ସହରର ଏକ ଘରୋଇ କଲେଜ୍ ହଷ୍ଟେଲ୍ ପରିସରରୁ ବିସିଏ ଶେଷ ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଏବେ ବଡ଼ ଆକ୍ସନ ଗ୍ରହଣ କରିଛି। ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ୱଜିତ ଜେନାଙ୍କ ବିରୋଧରେ ବ୍ରହ୍ମପୁର ପୋଲିସ ଏକ ସଂଗୀନ ମାମଲା ରୁଜୁ କରିଛି।

ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ସିଧାସଳଖ ମନ୍ତ୍ରୀଙ୍କ ପୁତୁରାଙ୍କ ବିରୋଧରେ ହତ୍ୟା ଏବଂ ନିର୍ଯାତନାର ସଂଗୀନ ଅଭିଯୋଗ ଅଣାଯାଇଛି। ମୃତକଙ୍କ ମାମୁଁ ଏବଂ ପରିବାର ବର୍ଗଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ବିଶ୍ୱଜିତ ଜେନାଙ୍କ ସହ ଛାତ୍ରୀଙ୍କର ଦୀର୍ଘ ଦିନର ପ୍ରେମ ସମ୍ପର୍କ ଥିଲା। ମାତ୍ର ନିକଟ ଅତୀତରେ ବିଶ୍ୱଜିତ ସମ୍ପର୍କରେ ପ୍ରତାରଣା କରିବା ସହ ଛାତ୍ରୀଙ୍କୁ ଭୟଙ୍କର ଭାବେ ମାନସିକ ସ୍ତରରେ ନିର୍ଯାତନା ଦେଇ ଆସୁଥିଲେ। ଏହି ପ୍ରତାରଣା ଓ ବ୍ଲାକମେଲିଂ ସହିନପାରି ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣେଇଥିବା ପରିବାର ଲୋକେ ଦାବି କରିଛନ୍ତି। ସେମାନେ ଏହାକୁ ଏକ ‘ଷଡ଼ଯନ୍ତ୍ରମୂଳକ ହତ୍ୟାକାଣ୍ଡ’ ବୋଲି ଅଭିହିତ କରିଛନ୍ତି।

ମୃତ ଛାତ୍ରୀଙ୍କ ପରିବାର ବର୍ଗ କହିଛନ୍ତି, “ଆମ ଝିଅ ଆତ୍ମହତ୍ୟା କରିନାହିଁ, ତାକୁ ପ୍ରେମ ନାଁରେ ପ୍ରତାରଣା କରି ମାନସିକ ସ୍ତରରେ ମାରି ଦିଆଯାଇଛି। ସେଥିପାଇଁ ମନ୍ତ୍ରୀଙ୍କ ପୁତୁରା ସମ୍ପୂର୍ଣ୍ଣ ଦାୟୀ। ପରିବାର ଲୋକେ ପହଞ୍ଚିବା ପୂର୍ବରୁ କଲେଜ କର୍ତ୍ତୃପକ୍ଷ କେଉଁ ଆଧାରରେ ମୃତଦେହକୁ ହସ୍ପିଟାଲ ସ୍ଥାନାନ୍ତର କଲେ, ତାହାର ମଧ୍ୟ ତଦନ୍ତ ହେବା ଉଚିତ।” ଘଟଣା ସମୟରେ ହଷ୍ଟେଲର ପରିସ୍ଥିତି ଏବଂ କଲେଜ୍ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ସନ୍ଦେହ ତେଜିବାରେ ଲାଗିଛି। ଝିଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ବେଳକୁ ମୃତଦେହ ସେଠାରେ ରଖାଯାଇଥିଲା।

ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଆସିବା ପୂର୍ବରୁ ହଷ୍ଟେଲ୍ କୋଠରୀରୁ କାହିଁକି ଶବ ବାହାର କରାଗଲା, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ବ୍ରହ୍ମପୁର ପୋଲିସ ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ମୃତ ଛାତ୍ରୀଙ୍କ ମୋବାଇଲ୍ ଫୋନ୍, କଲ୍ ରେକର୍ଡ ଏବଂ ହଷ୍ଟେଲ୍ ସାଥୀମାନଙ୍କ ବୟାନକୁ ଆଧାର କରି ତଥ୍ୟ ସଂଗ୍ରହ କରାଯାଉଛି।

Leave A Reply

Your email address will not be published.