ଲାଞ୍ଚ ନେଇ ଧରା ପଡ଼ିଲେ ପିଇଓ

0

ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେଇ ଧରା ପଡ଼ିଲେ ପିଇଓ। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପିଇଓ) ପ୍ରଫୁଲ୍ଲ କୁମାର ନାଥ ଅନ୍ତ୍ୟୋଦୟ ଗୃହ ଯୋଜନାର ଫାଇନାଲ ବିଲ କରାଇ ଦେବା ପାଇଁ ନେଉଥିଲେ ୫ ହଜାର ଟଙ୍କା ଏତିକିବେଳେ ମାଡି ବସିଲା ଓଡ଼ିଶା ଭିଜିଲାନ୍ସ । ଜଣେ ଗରିବ ବିଧବା ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାମ ଶେଷ କରିଥିଲେ । ଯୋଜନାର ନିୟମ ଅନୁଯାୟୀ ସେ ଶେଷ କିସ୍ତି ସହ ବୋନସ୍ ପାଇବାକୁ ହକ୍‌ଦାର ଥିଲେ। କିନ୍ତୁ ପିଇଓ ପ୍ରଫୁଲ୍ଲ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ହିତାଧିକାରୀ ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବା ପରେ ସେ ଲାଞ୍ଚ ପରିମାଣକୁ ୫ ହଜାର ଟଙ୍କାକୁ କମାଇ ଦେଇଥିଲେ । ଲାଞ୍ଚ ନ ଦେଲେ ଶେଷ କିସ୍ତି ଓ ବୋନସ୍ ଟଙ୍କା ମିଳିବ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ । ଏହାପରେ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଯୋଜନା ଅନୁଯାୟୀ ହିତାଧିକାରୀ ପିଇଓ ପ୍ରଫୁଲଙ୍କୁ ୫ ହଜାର ଟଙ୍କା ଦେବା ପାଇଁ ପାଣିକୋଇଲି ଛକକୁ ଡାକିଥିଲେ। ପାଣିକୋଇଲି ଛକରେ ପୂର୍ବ ପ୍ରସ୍ତୁତି କ୍ରମେ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ ହିତାଧିକାରୀ ପିଇଓ ପ୍ରଫୁଲଙ୍କୁ ୫ ହଜାର ଟଙ୍କା ଦେବା ମାତ୍ରକେ ଭିଜିଲାନ୍ସ ଅଧିକାରୀ ମାନେ ମାଡି ବସିଥିଲେ । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ପ୍ରଫୁଲ୍ଲ କୁମାର ନାଥଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.