ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କୋହଳ କଲେ ୱାଙ୍ଗ୍‌ଚୁକ୍‌

0

ଓଡ଼ିଆ ନ୍ୟୁଜ୍: ନିଟ୍‌‑ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଚାଲିଥିବା ଆନ୍ଦୋଳନରୁ ସରକାରଙ୍କୁ ବାହାରିବାର ବାଟ ଦେଖାଇଛନ୍ତି ପରିବେଶବିତ୍‌ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗ୍‌ଚୁକ୍‌। ଅନଶନ ଭଙ୍ଗ ପାଇଁ ସେ ବୁଧବାର ଯେଉଁ ତିନିଟି ସର୍ତ୍ତ ରଖିଛନ୍ତି, ସେଥିରେ ଧର୍ମେନ୍ଦ୍ରଙ୍କ ନିଶ୍ଚିତ ଇସ୍ତଫା ବଦଳରେ ଏହା ଉପରେ ବିଚାର କରିବା କଥା ରହିଛି। ତେଣୁ ଆନ୍ଦୋଳନର ମୁଖ୍ୟ ଦାବି କୋହଳ ହୋଇଥିବା କୁହାଯାଉଛି। କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଜୁନ୍‌ ୬ରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲା। ପ୍ରଥମେ ସପ୍ତାହାନ୍ତ ବ୍ୟତୀତ ଆନ୍ଦୋଳନସ୍ଥଳରେ ଅଧିକ ଭିଡ଼ ହେଉ ନ ଥିଲା। ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ଆହ୍ୱାନ ଅପେକ୍ଷା ଜୁନ୍‌ ୨୮ରୁ ୱାଙ୍ଗ୍‌ଚୁକ୍‌ ଅନିର୍ଦ୍ଦିଷ୍ଟ କାଳ ଅନଶନ ଆରମ୍ଭ କରିବା ପରେ ଆନ୍ଦୋଳନକୁ ନୂଆ ଶକ୍ତି ମିଳିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବା ସହ ଜନ୍ତରମନ୍ତରରେ ସମର୍ଥକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା।

ଜୁଲାଇ ୨୦ରେ ସିଜେପି ଓ ତାଙ୍କ ଆହ୍ୱାନକ୍ରମେ ହଜାର ହଜାର ଲୋକ ସଂସଦ ଅଭିମୁଖେ ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ଓ ରାପିଡ୍‌ ଆକ୍ସନ ଫୋର୍ସ ସହ ସଂଘର୍ଷରେ ବହୁ ଛାତ୍ର ଓ ଶହେରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଡଜନ୍‌ ଡଜନ୍‌ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ କେତେକଙ୍କୁ ଅଟକ ରଖାଯାଇଥିଲା। ମଙ୍ଗଳବାର ରାତିରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ ମେଦାନ୍ତ ହସ୍ପିଟାଲରେ ୱାଙ୍ଗ୍‌ଚୁକ୍‌ଙ୍କୁ ପ୍ରାୟ ୧୦ ମିନିଟ୍‌ ଭେଟି ଅନଶନ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ପରଦିନ ୱାଙ୍ଗ୍‌ଚୁକ୍‌ କହିଥିଲେ ଯେ ନିଟ୍‌‑ୟୁଜି ପ୍ରଶ୍ନପତ୍ର ପ୍ରଘଟ ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ, ସଂସଦରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ସହ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଉପରେ ବିଚାର ଏବଂ ଆନ୍ଦୋଳନକାରୀ ଯୁବକଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନ ନିଆଗଲେ ସେ ଅନଶନ ଭଙ୍ଗ କରିବେ।

Leave A Reply

Your email address will not be published.