ଓଡ଼ିଆ ନ୍ୟୁଜ୍: ବହୁଚର୍ଚ୍ଚିତ ଚୁଡ଼ିଆଲାଞ୍ଜି ମାଆ ଓ ପୁଅକୁ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୩୯ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ବିଚାରପତି ସଙ୍ଗୀତା ପାଣି ଅଭିଯୁକ୍ତ ଡି.ଗୁନାମ୍ମା ରେଡ୍ଡୀ ଓରଫ କୁନାମ୍ମା ଓ ତାଙ୍କ ଭଣଜା ଜି.ଦେବେନ୍ଦ୍ର ରେଡ୍ଡୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଉଭୟଙ୍କୁ ୭ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ଏବଂ ଅନାଦେୟସ୍ଥଳେ ଅତିରିକ୍ତ ୫ ମାସ ଲେଖାଏଁ ଜେଲ୍ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ୨୦୨୪ ମସିହା ଫେବ୍ରୁଆରି ୧୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଚୁଡ଼ିଆଲାଞ୍ଜି ଗାଁର ଡି.ମୋହନ ରେଡ୍ଡୀଙ୍କ ପତ୍ନୀ ଡି.ନୀଳାବେଣୀ (୩୫) ଓ ତାଙ୍କର ନାବାଳକ ପୁଅ ଡି.ଋଷି (୭)ଙ୍କ ମୃତଦେହକୁ ଘର ଭିତରୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିଲେ ହେଁ, ପରବର୍ତ୍ତୀ ସମୟରେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା।
ମାମଲାର ବିବରଣୀରୁ ପ୍ରକାଶ, ଚୁଡ଼ିଆଲାଞ୍ଜି ଗ୍ରାମର ଡି.ଫକୀର ରେଡ୍ଡୀଙ୍କ ତିନିପୁଅ ଆବୁଧାବିରେ ଦାଦନ ଖଟୁଥିଲେ। ମଝିଆପୁଅ ମୋହନଙ୍କ ପତ୍ନୀ ନୀଳାବେଣୀ ପୁଅ ସହ ଶ୍ବଶୁରଘରେ ରହୁଥିବା ବେଳେ ଯାଆମାନେ ସେହି ସାହିରେ ଅନ୍ୟ ଘରେ ରହୁଥିଲେ। ୨୦୨୪ ଫେବ୍ରୁଆରି ୧୮ରେ ନୀଳାବେଣୀ ଓ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଜରଡ଼ା ପୁଲିସ ଦୁଇଟି ଅପମୃତ୍ୟୁ ମାମଲା (୩ ଓ ୪/୨୫) ରୁଜୁ କରିଥିଲା। ସେହିମାସ ୨୪ ତାରିଖରେ ମୋହନ ଆବୁଧାବିରୁ ଫେରି ଜରଡ଼ା ଥାନାରେ ଭଣଜା ଦେବେନ୍ଦ୍ର ଓ ଭାଇବୋହୂ ଗୁନାମ୍ମା ନାଁରେ ଏତଲା ଦେଇଥିଲେ। ଏହାକୁ ଆଧାର କରି କେସ ନମ୍ବର ୭୧/୨୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ସାଇଣ୍ଟିଫିକ ଟିମ୍ ସହାୟତାରେ ତନାଘନା ହୋଇଥିବା ବେଳେ ଦେବେନ୍ଦ୍ରର ମୋବାଇଲ୍କୁ ପୁଲିସ ଜବତ କରି ସିଡ଼ିଆର୍ ସଂଗ୍ରହ କରିଥିଲା। ତଦନ୍ତ ବେଳେ ଦେବେନ୍ଦ୍ର ଓ ତା’ର ମାଇଁଙ୍କ ସଂପୃକ୍ତିକୁ ନେଇ ଯଥେଷ୍ଟ ପ୍ରମାଣ ମିଳିବା ପରେ ତତ୍କାଳୀନ ଥାନାଧିକାରୀ ଟୁନା ସାସମଲ ଉଭୟଙ୍କୁ ଗିରଫ କରିଥିଲେ। ଉଭୟଙ୍କ ଭିତରେ ଥିବା ଅନୈତିକ ପ୍ରେମ ସମ୍ପର୍କକୁ ନୀଳାବେଣୀ ବିରୋଧ କରୁଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଉଭୟ ପୁଲିସ ଆଗରେ ସ୍ବୀକାର କରିଥିଲେ।
ଘଟଣା ବିଳମ୍ବିତ ରାତିରେ ସେମାନେ ଯୋଜନାବଦ୍ଧ ଭାବେ ନୀଳାବେଣୀଙ୍କ ଘର ଛାତ ଉପରକୁ ବାହାରପଟୁ ଯାଇ ସିଡ଼ିରାସ୍ତା ଦେଇ ଭିତରେ ପଶିଥିଲେ। ଶୋଇଥିବା ଅବସ୍ଥାରେ ନୀଳାବେଣୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ସମୟରେ ପୁଅ ଋଷି ଉଠିପଡ଼ିବାରୁ ତାକୁ ବି ତଣ୍ଟି ଚିପି ମାରିଦେଇଥିଲେ। ପୁଲିସ ଘଟଣାର କ୍ରାଇମ ରିକ୍ରିଏସନ୍ କରାଇଥିବା ବେଳେ ଘଟଣା ପରଠୁ ଉଭୟ ଜେଲ୍ରେ ଥିଲେ। ଆଜି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।