ଓଡ଼ିଆ ନ୍ୟୁଜ୍: ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ଏପିକଲ୍କୁ ୨,୪୯୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ କୃଷି ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ସରକାର ଆଗାମୀ ୫ ବର୍ଷ ଏହାକୁ ପ୍ରଦାନ କରିଛନ୍ତି। ଆଜି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ନ୍ଧନ ସିଂହଦେଓ ଏନେଇ ସୂଚନା ଦେଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ (ଏପିକଲ୍) ସଂସ୍ଥା ଦ୍ୱାରା ଆଜି ଲୋକସେବଭବନରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ-୨୦୨୬ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ସମୀକ୍ଷାରେ ଭାଗ ନେଇ ସେ କହିଥିଲେ, ରାଜ୍ୟରେ କୃଷିକ୍ଷେତ୍ରକୁ ଏକ ଲାଭଦାୟକ ବ୍ୟବସାୟରେ ପରିଣତ କରିବା ପାଇଁ ସମୟସୀମା ମଧ୍ୟରେ ଆବଶ୍ୟକ ଋଣ ଯୋଗାଇଦେବାକୁ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ରାଜ୍ୟର ସମସ୍ତ ବ୍ୟାଙ୍କ ସହଯୋଗ କରିବା ଆବଶ୍ୟକ। ଏହି ବୈଠକରେ କୃଷି ଉଦ୍ୟୋଗୀଙ୍କୁ ସହଜରେ ଋଣ ଦେବା, ବ୍ୟାଙ୍କ ଓ ସରକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଏବଂ ଗାଁର ଯୁବକ ଓ ମହିଳାମାନଙ୍କୁ କୃଷି ବ୍ୟବସାୟରେ ଅଧିକରୁ ଅଧିକ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ବ୍ୟାଙ୍କ ଓ ବ୍ୟାଙ୍କ ଅଧିକାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଯୋଗାଇ ଦେବା ପାଇଁ ସରକାର, ବ୍ୟାଙ୍କ, ନାବାର୍ଡ, ଆରବିଆଇ ଏବଂ ରାଜ୍ୟସ୍ତରର ସଂସ୍ଥାଗୁଡ଼ିକ ମିଳିମିଶି କାମ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା।