ଏସୀୟ କ୍ରୀଡ଼ା ପାଇଁ ୨୦ ଜଣିଆ ଦଳ ଘୋଷଣା : ଓଡ଼ିଶାରୁ ଦୁଇ ଖେଳାଳୀ ସାମିଲ୍

0

ଓଡ଼ିଆ ନ୍ୟୁଜ୍: ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ପାଇଁ ହକି ଇଣ୍ଡିଆ ବୁଧବାର ୨୦ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଓଡ଼ିଶାର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି । ଅଭିଜ୍ଞ ଡିଫେଣ୍ଡର ଅମିତ ରୋହିଦାସ ଦଳରେ ରହିଥିବା ବେଳେ ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ସୁଯୋଗ ମିଳିଛି । ଦଳର ନେତୃତ୍ୱ ପୁଣି ଥରେ ତାରକା ଡ୍ରାଗ୍‌-ଫ୍ଲିକର ହରମନପ୍ରୀତ ସିଂହଙ୍କୁ ଦିଆଯାଇଛି । ଏସୀୟ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଭାରତ ପୁଲ୍‌-ଏ’ରେ ନିଜ ଅଭିଯାନ ଆରମ୍ଭ କରିବ । ଏହି ପୁଲ୍‌ରେ ଭାରତ ସହ ଜାପାନ, କୋରିଆ, ବାଂଲାଦେଶ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ରହିଛନ୍ତି । ସେପ୍ଟେମ୍ବର ୨୦ରେ ଇଣ୍ଡୋନେସିଆ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ ।

ଏହା ପରେ ସେପ୍ଟେମ୍ବର ୨୨ରେ ଶ୍ରୀଲଙ୍କା, ୨୪ରେ କୋରିଆ, ୨୬ରେ ଜାପାନ ଓ ୨୮ରେ ବାଂଲାଦେଶକୁ ଭେଟିବ ଭାରତ । ପୁଲ୍‌ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ଲକ୍ଷ୍ୟ ରହିବ । ୧୨ ଦଳକୁ ନେଇ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଦୁଇଟି ପୁଲ୍‌ ରହିଛି । ପ୍ରତ୍ୟେକ ପୁଲ୍‌ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲ୍‌କୁ ଯୋଗ୍ୟତା ହାସଲ କରିବେ । ଅକ୍ଟୋବର ୧ରେ ଦୁଇଟି ସେମିଫାଇନାଲ୍‌ ଖେଳାଯିବ । ଏହାର ପରଦିନ ଅର୍ଥାତ୍‌ ଅକ୍ଟୋବର ୨ରେ କାଂସ୍ୟ ଓ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା ହେବ । ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିବ । ଭାରତୀୟ ଦଳରେ ଗୋଲକିପର ଭାବେ ମୋହିଲ ଏଚ୍‌ଏସ୍‌ ଓ ସୂରଜ କରକେରା ରହିଛନ୍ତି ।

ଡିଫେଣ୍ଡର ଭାବେ ଜର୍ମନପ୍ରୀତ ସିଂହ, ହରମନପ୍ରୀତ ସିଂହ, ଅମିତ ରୋହିଦାସ, ଯୁଗରାଜ ସିଂହ, ସଞ୍ଜୟ, ସୁମିତ ଓ ଯଶଦୀପ ସିୱଚ ଦଳରେ ଅଛନ୍ତି । ମିଡ୍‌ଫିଲ୍ଡର ଭାବେ ରାଜିନ୍ଦର ସିଂହ, ରାଜ କୁମାର ପାଲ, ହାର୍ଦିକ ସିଂହ, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା ଓ ବିବେକ ସାଗର ପ୍ରସାଦ ରହିଛନ୍ତି । ଫରୱାର୍ଡ ଲାଇନ୍‌ରେ ଦିଲପ୍ରୀତ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ମନଦୀପ ସିଂହ ଓ ଅଭିଷେକ ରହିଛନ୍ତି ।

Leave A Reply

Your email address will not be published.