ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଗୁଜୁରାଟ ବିଧାନସଭା ନିର୍ବାଚନ ଯେତେଯେତେ ପାଖେଇ ଆସୁଛି ସେତେସେତେ ସଂଗ୍ରେର ଅନ୍ତଃକନ୍ଦର ଉଗ୍ରରୂପ ନେଉଛି । ତେବେ ଏହାରି ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ହାତ ଛାଡ଼ିଛନ୍ତି ହାର୍ଦ୍ଦିକ ପଟେଲ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ସାହସ ଜୁଟାଇ କଂଗ୍ରେସ ପାର୍ଟି ପଦ ଏବଂ ସଦସ୍ୟତାରୁ ଇସ୍ତଫା ଦେଉଛି। ମୋର ଏହି ନିଷ୍ପତ୍ତିକୁ ମୋର ସାଥୀମାନେ ଏବଂ ଗୁଜୁରାଟର ଜନତା ସ୍ଵାଗତ କରିବେ ବୋଲି ମୋର ଆଶା ରହିଛି। ସେ କହିଛନ୍ତି ଯେ, କଂଗ୍ରେସ ଦେଶହିତ ଏବଂ ସମାଜହିତର ବୀପରିତ ଦିଗରେ କାମ କରୁଛି। କଂଗ୍ରେସ ପାର୍ଟିର ବିରୋଧ ରାଜନୀତି ପର୍ୟ୍ୟନ୍ତ ସୀମିତ। ରାମ ମନ୍ଦିର, ସିଏଏ-ଏନଆରସି, ଧାରା ୩୭୦, ଜିଏସଟି ଲାଗୁ କରିବାରେ କଂଗ୍ରେସ ବାଧା ସୃଷ୍ଟି କରିଛି, ଯେତେବେଳେ ଦେଶ ସଙ୍କଟରେ ଥିଲା ସେତେବେଳେ ଆମ ନେତା ବିଦେଶରେ ଥିଲେ।

ସୂଚନା ଅନୁଯାୟୀ, ଗୁଜୁରାଟ କଂଗ୍ରେସର କାର୍ୟ୍ୟକାରୀ ଅଧ୍ୟକ୍ଷ ଥିବା ହାର୍ଦ୍ଦିକ ପଟେଲ କିଛି ଦିନ ହେବ ସେ କଂଗ୍ରେସର ନେତୃତ୍ଵକୁ ନେଇ ଅସନ୍ତୁଷ୍ଟ ଥିଲେ। ଏନେଇ ସେ ବହୁଥର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଦଳରେ କୌଣସି ନିଷ୍ପତ୍ତି ନେବା ପାଇଁ ତାଙ୍କ ନିକଟରେ କ୍ଷମତା ନାହିଁ ବୋଲି କହିଥିଲେ। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି।