ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, କୋଚିରେ ରୋଡ ଶୋ’ବେଳେ ମୋଦିଙ୍କ ଉପରକୁ ମୋବାଇଲ ମାଡ଼

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । କେରଳ, କୋଚିରେ ରୋଡ୍ ଶୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡି ତ୍ରୁଟି ଦେଖାଦେଇଥିବା ପରିଲକ୍ଷିତ ହୋଇଛି । ରାସ୍ତାରେ ଚାଲି-ଚାଲି କୋଚି ଜନତାଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ହୋଇଥିଲା ମୋବାଇଲ ମାଡ । ରୋଡ୍ ଶୋ’ ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡା ହୋଇଥିବା ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଫୁଲ ବର୍ଷା କରୁଥିଲେ । ଏହି ସମୟରେ ମୋଦୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିବାର ଚିତ୍ର ସାମ୍ନାକୁ ଆସିଥିଲା । ତେବେ ମୋଦୀଙ୍କ ସହ ଚାଲୁଥିବା ତାଙ୍କ ଅଙ୍ଗରକ୍ଷୀ ମୋବାଇଲ ଟିକୁ ଅଟକାଇ ଦେଇଥିଲେ । ଫଳରେ ଏହା ମୋଦୀଙ୍କ ଦେହରେ ବାଜି ନଥିଲା । ଗତ ସୋମବାର କୋଚିରେ ରୋଡ୍ ଶୋ’ ସମୟରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମୋଦୀଙ୍କ ସୁରକ୍ଷାରେ ଏହା ଏକ ବଡ ତ୍ରୁଟି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିଲା ହତ୍ୟା ଧମକ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବୋମାରେ ଉଡାଇଦେବା ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ବୋମା ମାଡ କରି ହତ୍ୟା କରାଯିବାକୁ ମିଳିଥିଲା ଧମକ । ଏହା ସତ୍ୱେ କେରଳର କୋଚିରେ ପହଁଚି ବିଶାଳ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଚାଲି ଚାଲି ଲୋକଙ୍କ ଠାରୁ ଅଭିବାଦନ ନେଇଥିଲେ । ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଏପ୍ରିଲ ୨୪ ଓ ୨୫ ରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଆସୁଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ କରାଯିବାକୁ ଜଣେ ଯୁବକ ଧମକ ଦେଇଥିଲା । ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଆଜି ଗିରଫ କରାଯାଇଛି । ଅନ୍ୟ ଜଣଙ୍କ ନାଁ ରେ ପିଏମ୍‌ ମୋଦିଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା ଜାଭିଅର । କେରଳ ସିଟି ପୋଲିସ କମିଶନର କେ. ସେଥୁ ରମଣ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ସିଟି ପୋଲିସ କମିଶନର କେ. ସେଥୁ ରମଣ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଆଧାରରେ କୋଚିରୁ ଜାଭିଅର ନାମକ ଯୁବକ ଅନ୍ୟ ଜଣଙ୍କ ନାଁ ରେ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଥିବା ଜଣାପଡିଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ପଚରାଉଚରା କରାଯାଉଛି’। ଗତ ସପ୍ତାହରେ କୋଚିର ଜଣେ ବ୍ୟକ୍ତି ଏନ୍. ଜେ. ଜନିଙ୍କ ନାଁ ଥିବା ଏକ ଚିଠି ରାଜ୍ୟ ବିଜେପି ସଭାପତି କେ. ସୁରେନ୍ଦ୍ରନଙ୍କୁ ହସ୍ତଗତ ହୋଇଥିଲା । ଏ ନେଇ ପୋଲିସକୁ ଜଣାଥିବା ସହିତ ତଦନ୍ତ ଦାବି କରିଥିଲେ ।

ଚିଠିରେ ଲେଖାଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଆସିଲେ ତାଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯିବ। ପୋଲିସ ଏ ନେଇ ଏନ୍. ଜେ. ଜନିଙ୍କୁ ପଚରାଉଚରା କରିଥିବା ବେଳେ ସେ କିଛି ଜାଣିନଥିବା କହିଥିଲେ । ଚିଠିରେ ଲେଖାଥିବା ହସ୍ତାକ୍ଷର ଯାଞ୍ଚ କରାଯିବା ପରେ ଏହା ଜନିଙ୍କର ହୋଇନଥିବା ଜଣାପଡିଥିଲା । ତେବେ ଘର ନିକଟରେ ଜଣେ ଯୁବକ ସହିତ ତାଙ୍କ ମତଭେଦ ଥିବାରୁ ସେ ସନ୍ଦେହରେ ପୋଲିସକୁ ଜଣାଇଥିଲେ । ସଂପୃକ୍ତ ଯୁବକ ହିଁ ଏଭଳି କରିଥାଇପାରେ ବୋଲି ପୋଲିସକୁ କହିଥିଲେ ଜନି । ସେହି ଆଧାରରେ କୋଚି ପୋଲିସ ଜାଭିଅରକୁ ପ୍ରଥମେ ହେପାଜତକୁ ନେବା ପରେ ସେ ସତ ବଖାଣିଛି ।

Leave A Reply

Your email address will not be published.