ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳ ଜଙ୍ଗଲରେ ବୁଲୁଛି ବିରଳ କଳା ବାଘ। ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ। ଅଭାୟରଣ୍ୟ ଭିତରେ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ଏବେ କଳାବାଘ ଚିତ୍ର ସାମ୍ନାକୁ ଆସିବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ନିକଟରେ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲ ଜୁ’ ଅଥରିଟି। ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବାକୁ ଥିବା ଏହି କଳାବାଘ ସଫାରୀରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ ।
ଏଠାରେ ବାଘଙ୍କ ପାଇଁ ରହିବ ସ୍ୱତନ୍ତ୍ର ହସ୍ପିଟାଲ। ଗତ ମେ’ ମାସରେ ଶିମିଳିପାଳରେ ମହାବଳ ଓ କଳା ବାଘ ସାଙ୍ଗ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ। ଏବେ ପୁଣି ଥରେ କଳା ବାଘ କ୍ୟାମେରାରେ କଏଦ ହୋଇଛି।