ଟ୍ରକ୍‌ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ ଏବଂ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଘଟିବାରୁ ୧୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିର୍ଜାପୁର ଅନ୍ତର୍ଗତ କଛଓ୍ବା ଥାନାର କଟକା ପଡ଼ାଓ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ବାରାଣାସୀସ୍ଥିତ ହସ୍ପିଟାଲକୁ ପଠାଯାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ସୂଚନା ମୁତାବକ, ଟ୍ରାକ୍ଟରରେ ସମୁଦାୟ ୧୩ ଜଣ ଥିଲେ। ସେମାନେ ଶ୍ରମିକ ଭାବେ କାମ କରୁଥିବା ବେଳେ ପାଖ ଗାଁରୁ କାମ ସାରି ଘରକୁ ଫେରୁଥିଲେ। ମାତ୍ର ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ଟ୍ରାକ୍ଟରକୁ ଖୁବ୍‌ ଜୋରରେ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୩ ଗୁରୁତର ହୋଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁତରମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.